Categories: ଖେଳ

ଦକ୍ଷିଣ ଆଫ୍ରିକା ଗଡ଼ରେ ରାହୁଲଙ୍କ ରାଜୁତି

ସେଞ୍ଚୁରିଆନ,୨୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ଓପନର ଲୋକେଶ ରାହୁଲଙ୍କ ନାମରେ ରହିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୨୭୨ ରନ୍‌ କରିଛି। ଉପଅଧିନାୟକ ଲୋକେଶ ରାହୁଲ ୧୨୨ ଓ ଅଜିଙ୍କ୍ୟ ରାହାନେ ୪୦ ରନ୍‌ କରି ଅପରାଜିତ ରହିଛନ୍ତି। କେବଳ ଲୁଙ୍ଗି ଏନ୍‌ଗିଡିଙ୍କୁ ଛାଡ଼ି ଦେଲେ ଘରୋଇ ଦଳକୁ କୌଣସି ବୋଲର ସଫଳତା ଦେଇ ପାରି ନ ଥିଲେ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆକୁ ୧୧୭ ରନ୍‌ର ଶତକୀୟ ଆରମ୍ଭ ଦେଇଥିଲେ ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ବାଲ। ଅର୍ଦ୍ଧଶତକ ପୂରଣ କରିଥିବା ମୟଙ୍କ (୬୦ ରନ୍‌, ୯ ଚୌକା) ୪୧ତମ ଓଭରରେ ଲୁଙ୍ଗି ଏନ୍‌ଗିଡିଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ବଲରେ ପଡ଼ିଥିଲା ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ଉଇକେଟ। ସେ ପ୍ରଥମ ବଲରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ।

ଲଗାତାର ଦୁଇ ଉଇକେଟ ପଡ଼ିବା ପରେ ରାହୁଲଙ୍କ ସହ କ୍ରିଜରେ ଯୋଗ ଦେଇଥିଲେ ଅଧିନାୟକ ବିରାଟ କୋହଲି। ଦୁହେଁ ୩ୟ ଉଇକେଟ ପାଇଁ ୮୨ ରନ୍‌ ଯୋଡ଼ିଥିଲେ। କ୍ରିଜରେ ଜମି ସାରିଥିବା କୋହଲି ୩୫ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍‌ ହୋଇଥିଲେ। ଏହାପରେ ରାହାନେଙ୍କ ସହ ମିଶି ରାହୁଲ ପ୍ରତିପକ୍ଷ ବୋଲରଙ୍କୁ ଆଉ ଉଇକେଟ ନେବାକୁ ଦେଇ ନ ଥିଲେ ସୁଯୋଗ। ଦୁଇ ବ୍ୟାଟର ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୭୨ ରନ୍‌ରେ ପହଞ୍ଚାଇଥିଲେ। ଘରୋଇ ଦଳ ପାଇଁ ଏନ୍‌ଗିଡି ସମସ୍ତ ୩ ଉଇକେଟ ନେଇଛନ୍ତି।

Share