ଦେଶ ବିରୋଧୀ ଶକ୍ତିଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ରାହୁଲ: ଶରତ

ଭୁବନେଶ୍ବର, ୨୪ା୩(ବ୍ୟୁରୋ):ଭାରତ ବର୍ଷର ଗଣତନ୍ତ୍ର ଆଜି ବିପନ୍ନ। ନରେନ୍ଦ୍ର ମୋଦି ସରକାର ବ୍ୟକ୍ତିର ବାକ୍‌
ସ୍ବାଧୀନତା ଉପରେ ସମ୍ପୂର୍ଣ୍ଣରୂପେ ରୋକ୍‌ ଲଗାଇବା ପାଇଁ ୮ ବର୍ଷ ହେଲା କାର୍ଯ୍ୟ କରୁଛି। ଏକଛତ୍ର ବାଦ ଶାସନ ବ୍ୟବସ୍ଥାକୁ ଆପଣାଇବା ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଚେଷ୍ଟା ଚଳାଇଛନ୍ତି। ସତ୍ୟ ଓ ଅହିଂସାର ହେଉଛି କଂଗ୍ରେସର ମାର୍ଗ। ଭାରତର ଜନଗଣଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଲଢ଼େଇ କରିବ। ଓଡ଼ିଶାର ସମସ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ରାହୁଲ ଗାନ୍ଧୀଙ୍କ ସହିତ ପାଦକୁ ପାଦ ମିଳାଇ ଚାଲିବାର ବଜ୍ର ଶପଥ ନେଇଛନ୍ତି। କୌଣସି ପରିସ୍ଥିତିରେ ବି ରାହୁଲ ଦେଶ ବିରୋଧୀ ଶକ୍ତିଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକଠାରେ ଗୁରୁବାର ଏକ ପ୍ରତିବାଦ ସଭା କରାଯାଇଛି। ଦଳର ଏକାଧିକ ନେତା ଏଠାରେ ଯୋଗଦେଇ ରାହୁଲ ଗାନ୍ଧୀଙ୍କ ଘରେ ପୋଲିସ ଚଢାଉ ଘଟଣାକୁ ବିରୋଧ କରିଛନ୍ତି। ରାହୁଲ ଆଗେ ଚଲୋ ହମ୍‌ ତୁମହାରେ ସାଥ୍‌ ହେ ଲେଖାଥିବା ପୋଷ୍ଟର କଂଗ୍ରେସ ନେତାମାନେ ହାତରେ ଧରିଥିବାର ଦେଖିବାକୁ ମିଳିଛି। ଏହି ପ୍ରତିବାଦ ସଭାରେ ପୂର୍ବତନ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଦାଶରଥି ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।