ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର,୩ା୮(ରବିନାରାୟଣ ଜେନା): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଯୁବ ଓ ଛାତ୍ର ସମାଜ ବିରୋଧୀ ବୋଲି ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ ସଭାପତି ବିନୋଦ ଜାଖର କହିଛନ୍ତି। ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ‘ଛାତ୍ରୋଂ କି ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ ଜାଖର କହିଛନ୍ତି, ନୂଆଦିଲ୍ଲୀର ଯନ୍ତରମନ୍ତରରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପ୍ରତିବାଦରେ ଆନ୍ଦୋଳନ କରୁଥିବା ଛାତ୍ର ସମାଜକୁ ମୋଦି ସରକାର ଯେଉଁ ଆଚରଣ ପ୍ରଦର୍ଶନ କଲା ଏହା ଦୁର୍ଭାଗ୍ୟଜନକ। ‘ଏନ୍‌ଇଇଟି’ ପ୍ରଶ୍ନପତ୍ର ଲିକ୍‌ ଘଟଣା ମୋଦି ସରକାରର ଅସଲ ଚେହେରାକୁ ପଦାରେ ପକାଇଛି। ଅନେକ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି। ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଦେଶର ୨୨ରୁ ଅଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି ବୋଲି ବିନୋଦ କହିଛନ୍ତି।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଓଡ଼ିଶାର ଛାତ୍ରୀଛାତ୍ର ରାସ୍ତାରେ ଛିଡ଼ା ହେଉ ନ ଥିବାରୁ କଲେଜ ଓ ୟୁନିଭର୍‌ସିଟିରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ। ଓଡ଼ିଶାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ତଥା ଛାତ୍ର ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବା ଲାଗି ରାହୁଲ ଅଗଷ୍ଟରେ ଓଡ଼ିଶା ଆସିବେ। ଏନେଇ ଖୁବ୍‌ଶୀଘ୍ର ତାରିଖ ଘୋଷଣା ହେବ। ଭକ୍ତ କହିଛନ୍ତି, ଓଡ଼ିଶାରେ ମେଡିକାଲ ପିଜି ପ୍ରଶ୍ନପତ୍ର ଲିକ୍‌ ହେବା ଦୁର୍ଭାଗ୍ୟଜନକ।
ଛାତ୍ରଶକ୍ତି ଜାଗ୍ରତ ହେଲେ ଓଡ଼ିଶା ଜାଗିବ ବୋଲି ନବନିଯୁକ୍ତ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି। ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ ପାଇଁ ଛାତ୍ର କଂଗ୍ରେସର ଏକ ବିଶାଳ ବିକ୍ଷୋଭ ରାଲି ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରିଥିଲା। ଲୋୟର ପିଏମ୍‌ଜିଠାରେ ପୋଲିସ ସହ ସେମାନଙ୍କ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସ କର୍ମକର୍ତ୍ତା ବାରିକେଡ୍‌ ଭାଙ୍ଗିବାରୁ ସେମାନଙ୍କୁ ପୋଲିସ ଉଠାଇ ନେଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର କର୍ମକର୍ତ୍ତା କବୀର ଅହମ୍ମଦ, ନିରଜ ରାୟ, ପୂର୍ବତନ ଛାତ୍ର କଂଗ୍ରେସ ଦେବାଶିଷ ପଟ୍ଟନାୟକ, ମିଲନ ପଟ୍ଟନାୟକ ଓ ଅଭିଳାଷ ମାଣିଆ ପ୍ରମୁଖ ସାମିଲ ଥିଲେ।

Dharitri – Odisha’s No.1 Odia Daily