Categories: ଖେଳ

ଟସ୍‌ ଜିତିବା ପରେ ବି ନିରାଶ ହେଲା ଇଂଲଣ୍ଡ

ଲଡର୍‌ସ, ୧୨।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଦିନରେ ସମ୍ପୂର୍ଣ୍ଣ ପ୍ରଭାବୀ ପ୍ରଦର୍ଶନ କରିଛି ଭାରତୀୟ ଦଳ। ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଘରୋଇ ଦଳର ଅଧିନାୟକ ଜୋ ରୁଟ୍‌। ତାଙ୍କୁ ନିରାଶ କରିଥିଲେ ଲୋକେଶ ରାହୁଲ। କିନ୍ତୁ ଶେଷ ଆଡ଼କୁ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଉଇକେଟ କିଛିଟା ସାନ୍ତ୍ୱନା ଦେଇଛି। ପ୍ରଥମ ଦିନ ଶେଷ ସୁଦ୍ଧା ଟିମ୍‌ ଇଣ୍ଡିଆ ମାତ୍ର ୩ ଉଇକେଟ ହରାଇ ୨୭୬ ରନ୍‌ କରିଛି।

ଆରମ୍ଭରୁ ରୋହିତ ଶର୍ମାଙ୍କ ସହ ପାଚେରୀ ଭଳି ଛିଡ଼ା ହୋଇଥିଲେ ରାହୁଲ। ଏହି ଓପନିଂ ଯୋଡ଼ି ଦଳୀୟ ସ୍କୋରରେ ଯୋଡ଼ିଥିଲା ୧୨୬ ରନ୍‌। ଶତକ ପାଖରେ ପହଞ୍ଚିବା ପରେ ଜିମ୍ମି ଆଣ୍ଡରସନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ ରୋହିତ। ତାଙ୍କ ୮୩ ରନ୍‌ର ଇନିଂସରେ ସାମିଲ ଥିଲା ୧୧ ଚୌକା ଓ ୧ ଛକା। ତୁରନ୍ତ ପରେ ପଡ଼ିଥିଲା ଚେତେଶ୍ୱର ପୂଜାରା (୯)ଙ୍କ ଉଇକେଟ। ଏଭଳି ପରିସ୍ଥିତିରେ ରାହୁଲଙ୍କ ସହ ଭାର ସମ୍ଭାଳିଥିଲେ ଅଧିନାୟକ କୋହଲି। ଦୁହେଁ ୩ୟ ଉଇକେଟ ଲାଗି ୧୧୭ ରନ୍‌ ଯୋଡ଼ିଥିଲେ। ଖେଳ ଦେଖି ଲାଗୁଥିଲା କୋହଲି ଏକ ବଡ଼ ଇନିଂସ ଖେଳିବେ। କିନ୍ତୁ ୪୨ ରନ୍‌ରେ ଆଉଟ୍‌ ହୋଇଥିଲେ ଅଧିନାୟକ। ଇତି ମଧ୍ୟରେ ରାହୁଲ ଟେଷ୍ଟ କ୍ୟାରିୟରର ୬ଷ୍ଠ ଶତକ ପୂରଣ କରିଥିଲେ। ପରେ ଘରୋଇ ବୋଲରଙ୍କୁ ଆଉ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲା ଅଜିଙ୍କ୍ୟ ରାହାନେ ଓ ରାହୁଲଙ୍କ ଯୋଡ଼ି। ଫଳରେ ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୩ ଉଇକେଟ ହରାଇ ୨୭୬ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ରାହୁଲ ୧୨୭ (୧୨ ଚୌକା ଓ ୧ ଛକା) ଓ ରାହାନେ ୧ ରନ୍‌ରେ ଅପରାଜିତ ଥିଲେ।

Share