ନୂଆଦିଲ୍ଲୀ,୮ା୧୧(ପି.ଟି.): ଦେଶରେ ପ୍ରଚଳିତ ଇ୨୦ ପେଟ୍ରୋଲକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କର୍ନାଟକ ସରକାରଙ୍କ ଦ୍ୱାରା ସଂଗୃହୀତ ନମୁନା ପରୀକ୍ଷାରେ ଦେଶରେ ବିକ୍ରି ହେଉଥିବା ଇନ୍ଧନରେ ଅଧିକ ଇଥାନଲ ମିଶିଥିବା ଜଣାପଡ଼ିଛି। ପ୍ରକୃତରେ ଇନ୍ଧନରେ କେତେ ପରିମାଣରେ ଇଥାନଲ ମିଶୁଛି, କେନ୍ଦ୍ର ତାହା ସ୍ପଷ୍ଟ କରୁ ବୋଲି ରାହୁଲ ଦାବି କରିଛନ୍ତି। ‘X’ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି ଇ୨୦ ଏବେ ୪୨୦ରେ ପରିଣତ ହୋଇଛି ଅର୍ଥାତ୍ ଇନ୍ଧନରେ ଠକେଇ କରାଯାଉଛି। ଲୋକଙ୍କ କାରରୁ ପେଟ୍ରୋଲ ଚୋରି ହେଉଛି।
ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ କହିଛନ୍ତି, ଇ୨୦ରେ ୨୦ ପ୍ରତିଶତ ଇଥାନଲ ରହୁଥିବା ସରକାର କହୁଛନ୍ତି, କିନ୍ତୁ କର୍ନାଟକର ୭ ଜିଲାରୁ ସଂଗୃହୀତ ନମୁନା ପରୀକ୍ଷାରୁ ଯଥେଷ୍ଟ ଅଧିକ ଇଥାନଲ ଥିବା ଜଣାପଡ଼ିଛି। ୧୪ଟି ନମୁନାରୁ ୧୧ଟିରେ ଇଥାନଲ ପରିମାଣ ଅଧିକ ରହିଥିଲା। ଆଇଓସିଏଲ୍ର ଇ୨୦ ପେଟ୍ରୋଲରେ ୩୧.୨ ପ୍ରତିଶତ ଇଥାନଲ ଥିବାବେଳେ ଏଚ୍ପିସିଏଲ୍ ଇନ୍ଧନରେ ୩୦.୫% ଥିଲା। ସେହିପରି ବିପିସିଏଲ୍, ନାୟରା ଓ ଶେଲ୍ କମ୍ପାନୀର ଇନ୍ଧନରେ ମଧ୍ୟ ଅଧିକ ଇଥାନଲ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଅଧିକ ଇଥାନଲ ମିଶ୍ରଣ ଯୋଗୁ ଗାଡ଼ିର ମାଇଲେଜ୍ ହ୍ରାସ ପାଇବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଉଛି। ପେଟ୍ରୋଲରେ ଥିବା ଇଥାନଲ ପରିମାଣ ବିଷୟରେ ସୂଚନା ଦେଉଥିବା ଲେବଲ ପେଟ୍ରୋଲ ପମ୍ପ୍ଗୁଡ଼ିକରେ କାହିଁକି ନାହିଁ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଖୋଲା ବିତର୍କରେ ଇଥାନଲ ମିଶ୍ରଣକୁ ମଧ୍ୟ ସାମିଲ କରିବା ପାଇଁ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆହ୍ବାନ ଦେଇଛନ୍ତି। ଇ୨୦ ପେଟ୍ରୋଲରେ ଅଧିକ ଇଥାନଲ ଥିବା ଲାବରେଟୋରି ପରୀକ୍ଷାରୁ ସ୍ପଷ୍ଟ ହୋଇଛି ବୋଲି କର୍ନାଟକ ସରକାର କହିବା ପରେ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।