କେନ୍ଦ୍ର ସରକାରଙ୍କୁ ପୁଣି ଟାର୍ଗେଟ କଲେ ରଘୁରାମ ରାଜନ: ଏଥର ପିଏଲଆଇ ଯୋଜନା ଉପରେ ପ୍ରଶ୍ନ…

ନୂଆଦିଲ୍ଲୀ,୩୧।୫ : ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁଣି ଥରେ ଭାରତ ସରକାରଙ୍କ ଆର୍ଥିକ ନୀତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି ଏବଂ କିଛି ପ୍ରଶ୍ନ ଉଠାଇଛନ୍ତି। ଏଥର ତାଙ୍କ ଲକ୍ଷ୍ୟ କେନ୍ଦ୍ର ସରକାରଙ୍କ ପ୍ରଡକ୍ସନ ଲିଙ୍କ ଇନସେଣ୍ଟିଭ ସ୍କିମ (ପିଏଲଆଇ) ଉପରେ ରହିଛି ଏବଂ ସରକାରଙ୍କ ଏହି ଯୋଜନା ବିଫଳ ହୋଇଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସୋସିଆଲ ମିଡିଆ ନୋଟରେ ସେ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପିଏଲଆଇ ଯୋଜନାର ସଫଳତାର ପ୍ରମାଣ କ’ଣ ଯାହା ଦେଶରେ ଉତ୍ପାଦନ କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ ଆରମ୍ଭ କରାଯାଇଥିଲା। ଭାରତ ପ୍ରକୃତରେ ଏକ ଉତ୍ପାଦନକାରୀ ଅଗ୍ରଣୀ ଦେଶରେ ପରିଣତ ହୋଇଛି କି ନାହିଁ, ଯାହାକୁ ନେଇ ଦାବି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଲେଖିଛନ୍ତି ଦେଶରେ ମୋବାଇଲ ଫୋନ ଉତ୍ପାଦନର ଆକଳନ ଦେଖିବା ପରେ ଏଭଳି ଚିନ୍ତା ସାମ୍ନାକୁ ଆସୁଛି, ଯାହାର ଉତ୍ତର ସରକାରଙ୍କୁ ଦେବାକୁ ପଡିବ। ଏହାର କାରଣ ହେଉଛି ଦେଶରେ ମୋବାଇଲ ଫୋନ ଉତ୍ପାଦନକୁ ଧ୍ୟାନରେ ରଖି ଏହି ଯୋଜନାର ଧ୍ୟାନ ମୁଖ୍ୟତଃ ପ୍ରବର୍ତ୍ତିତ ହୋଇଥିଲା।

ମୋବାଇଲ ଫୋନ ଉତ୍ପାଦନ କ୍ଷେତ୍ରରେ ଭାରତ ଏପର୍ଯ୍ୟନ୍ତ ଏକ ବୃହତ ଶକ୍ତି ହୋଇପାରି ନାହିଁ। ଯେହେତୁ ଏହି ପିଏଲଆଇ ଯୋଜନା ଆରମ୍ଭ ହେବା ସମୟରେ ଆଶା କରାଯାଉଥିଲା ଏବଂ ଏନେଇ ଉଚ୍ଚ ପ୍ରତିଶ୍ରୁତି ଦିଆଯାଇଥିଲା। ତାଙ୍କ ସହ ଆଉ ଦୁଇଜଣ ଲେଖକ ରାହୁଲ ଚୌହାନ ଏବଂ ରୋହିତ ଲାମ୍ବା ଉଲ୍ଲେଖ କରିଛନ୍ତି ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବାରେ ଏହି ଯୋଜନା ବିଫଳ ହୋଇଛି।

କେନ୍ଦ୍ରର ମୋଦି ସରକାର ୧.୯୭ ଲକ୍ଷ କୋଟି ଟଙ୍କା ବ୍ୟୟରେ ପ୍ରଡକ୍ସନ ଲିଙ୍କ ଇନସେଣ୍ଟିଭ ସ୍କିମ ଘୋଷଣା କରିଥିଲେ। ଏହା ମାଧ୍ୟମରେ ଦେଶର ବିଭିନ୍ନ କ୍ଷେତ୍ରରେ ଉତ୍ପାଦନର ଚାମ୍ପିୟନ ସୃଷ୍ଟି କରିବା ଏବଂ ସାଧାରଣ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଦାବି କରାଯାଇଥିଲା।

ରାଜନ କହିଛନ୍ତି କେନ୍ଦ୍ର ସରକାର ଏହି ଯୋଜନାର ଆକଳନକୁ ଭଲ ଭାବରେ ଦେଖିବା ଉଚିତ ଏବଂ ପିଏଲଆଇ ଯୋଜନା ଅଧୀନରେ ଏପର୍ଯ୍ୟନ୍ତ କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ସେ ସମ୍ପର୍କରେ ବିସ୍ତୃତ ଆକଳନ କରିବା ଉଚିତ। ଏପର୍ଯ୍ୟନ୍ତ କାହିଁକି ଏହି ଯୋଜନା ଦେଶର ବିଭିନ୍ନ କ୍ଷେତ୍ରକୁ ଲାଭ ଦେବାକୁ ସକ୍ଷମ ହୋଇ ନାହିଁ ଏବଂ ଏହା କାହିଁକି କାମ କରୁନାହିଁ। ସରକାର ଏହା ବିଷୟରେ ଚିନ୍ତା କରିବା ଏବଂ ଉତ୍ତର ଦେବା ଉଚିତ ବୋଲି ସେ କହିଛନ୍ତି।

Share