ରଘୁନାଥ ମହାପାତ୍ରଙ୍କ ପରଲୋକ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୯।୫(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ରବିବାର କରୋନାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ରଘୁନାଥ ମହାପାତ୍ରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶିଳ୍ପୀ ତଥା ସାଂସଦ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବା ଦିଗରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ସୂଚନାଯୋଗ୍ୟ, ରଘୁନାଥ ମହାପାତ୍ର ଗତ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଏମ୍ସ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ। ଜଣେ ଲବ୍ଧ ପ୍ରତିଷ୍ଠିତ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ ରଘୁନାଥ ମହାପାତ୍ର ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିଲେ। ୧୯୪୩ ମସିହା ମାର୍ଚ୍ଚ ୨୪ରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ମହାପାତ୍ର ପ୍ରସ୍ତର କାରୁକାର୍ଯ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୫ ମସିହାରେ ପଦ୍ମଶ୍ରୀ, ୨୦୦୧ ମସିହାରେ ପଦ୍ମ ଭୂଷଣ ଏବଂ ୨୦୧୩ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ।