ଭାଜପାରେ ଯୋଗ ଦେବାର ୨୪ ଘଣ୍ଟା ଭିତରେ ରାଘବଙ୍କୁ ବଡ଼ ଝଟ୍‌କା, ହଠାତ୍‌ ହରାଇଲେ…

ନୂଆଦିଲ୍ଲୀ,୨୫ା୪: ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଛାଡ଼ି ଭାଜପାରେ ଯୋଗ ଦେଇଥିବା ଏମ୍‌ପି ରାଘବ ଚଢ଼ାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବା ପରେ ତାଙ୍କ ଲୋକପ୍ରିୟତାରେ ଏକ ଶକ୍ତ ଆଘାତ ଲାଗିଛି। ଚଢ଼ା କେବଳ ନିଜେ ଭାଜପାରେ ଯୋଗ ଦେଇ ନ ଥିଲେ ବରଂ ୬ ଜଣ ଏଏପି ରାଜ୍ୟ ସଭା ଏମ୍‌ପିଙ୍କୁ ମଧ୍ୟ ସାଙ୍ଗରେ ନେଇଯାଇଥିଲେ, ଯାହା ଫଳରେ କେଜ୍‌ରିଓ୍ବାଲ୍‌ଙ୍କ ଦଳ ପାଇଁ ତାଙ୍କ ନିଜସ୍ବ ଗୋଷ୍ଠୀକୁ ପରିଚାଳନା କରିବା କଷ୍ଟକର ହୋଇପଡ଼ିଥିଲା।

ଭାଜପାରେ ଯୋଗଦେବାର ଏହି ନିଷ୍ପତ୍ତି ଯୁବପିଢ଼ି ବିଶେଷକରି Gen Zଙ୍କୁ ଆଘାତ ଲାଗିଛି। ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଯିବା ପରଠାରୁ ତାଙ୍କ ପରିବର୍ତ୍ତନ ବିଷୟରେ ଆଲୋଚନା ହେଉଥିଲା, କିନ୍ତୁ ଇଣ୍ଟରନେଟ୍‌ ଜଗତ ଏହାକୁ ସକାରାତ୍ମକ ଭାବରେ ନେଇନାହିଁ।

ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଫଲୋଅର୍ସଙ୍କୁ ନେତାଙ୍କ ଲୋକପ୍ରିୟତାର ଏକ ମାପକାଠି ଭାବରେ ବିବେଚନା କରାଯାଏ। ତଥ୍ୟ ଅନୁଯାୟୀ, ଭଜପାରେ ଯୋଗଦେବାର ୨୪ଘଣ୍ଟା ମଧ୍ୟରେ ଚଢା ଇନଷ୍ଟାଗ୍ରାମରେ ପ୍ରାୟ ୧୦ ଲକ୍ଷ ଫଲୋଅର୍ସ ହରାଇଛନ୍ତି। ଶୁକ୍ରବାର ସୁଦ୍ଧା ତାଙ୍କର ୧୪.୬ ମିଲିୟନ ଫଲୋଅର୍ସ ଥିଲେ, ଯାହା ଶନିବାର ଅପରାହ୍ନ ସୁଦ୍ଧା ୧୩.୫ ମିଲିୟନ ହ୍ରାସ ପାଇଛି। ଏନ୍‌ସିପି ମୁଖପାତ୍ର ଅନିଶ ଗାଓ୍ବାଣ୍ଡେ ଟୁଇଟ୍‌ କରିଛନ୍ତି, ‘ସୋସିଆଲ ମିଡିଆରେ ‘ଅନଫଲୋ’ ଅଭିଯାନ ଯୋଗୁ ଚଢ଼ା ୧୦ ଲକ୍ଷ ଫଲୋଅର୍ସ ହରାଇଛନ୍ତି। ଇଣ୍ଟରନେଟ୍‌ ଆପଣଙ୍କୁ ରାତାରାତି ହିରୋ କରିପାରେ, କିନ୍ତୁ ଏହା ଆପଣଙ୍କୁ ଧୂଳିରେ ପରିଣତ ମଧ୍ୟ କରିପାରେ।’

ରାଘବ ଯୁବପିଢ଼ିଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ସଂସଦରେ ଏପରି ପ୍ରସଙ୍ଗ ଉଠାଇଥିଲେ ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ପ୍ରାସଙ୍ଗିକ ଥିଲା ଏବଂ ରାଜନୀତିରେ ପ୍ରାୟତଃ ଅଣଦେଖା କରାଯାଉଥିଲା।

-ବିମାନବନ୍ଦରରେ ମହଙ୍ଗା ସିଙ୍ଗଡ଼ା
-ପିତୃତ୍ୱ ଛୁଟି।
-ଟେଲିକମ କମ୍ପାନୀଗୁଡ଼ିକରେ ଟ୍ରାଫିକ ସମସ୍ୟା ଏବଂ ଡାଟା ସୀମା।
-ଗିଗ୍‌ କର୍ମଚାରୀଙ୍କ ଶୋଷଣ।

ସମ୍ପ୍ରତି ସେ ସେମାନଙ୍କ ସମସ୍ୟା ବୁଝିବା ପାଇଁ ଗୋଟିଏ ଦିନ ପାଇଁ ବ୍ଲିଙ୍କିଟ ଡେଲିଭରି ପାର୍ଟନର ହୋଇଥିଲେ। ତାଙ୍କ ପ୍ରୟାସ ଯୋଗୁ ସରକାର କମ୍ପାନୀଗୁଡ଼ିକ ପାଇଁ ବାଧ୍ୟତାମୂଳକ ୧୦-ମିନିଟ୍‌ ଡେଲିଭରି ସମୟ ସୀମା ହଟାଇ ଦେଇଥିଲେ। ଏହି ସବୁ ତାଙ୍କ ପ୍ରତିଛବିକୁ ଲୋକମାନଙ୍କର ନେତା ଭାବରେ ସୁଦୃଢ଼ କରିଥିଲା।

ଯେତେବେଳେ ଚଢ଼ାଙ୍କୁ ରାଜ୍ୟ ସଭାର ଉପନେତା ପଦରୁ ହଟାଇ ଦିଆଯାଇଥିଲା, ତାଙ୍କୁ ପ୍ରଚୁର ଜନ ସମର୍ଥନ ମିଳିଥିଲା। ସେ ନିଜେ ଏକ ଇନ୍‌ଷ୍ଟାଗ୍ରାମ ରିଲ୍‌ ଶେୟାର କରିଛନ୍ତି ଯେଉଁଥିରେ ଜଣେ ୟୁଜର ତାଙ୍କୁ ନିଜର ‘Gen Z’ ପାର୍ଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ତା’ପରେ ୟୁଜର ଚେତାବନୀ ଦେଇଥିଲେ ଯେ, ଚଢ଼ା ଅନ୍ୟ ଦଳରେ ଯୋଗଦେଲେ ଘୃଣାର ସମ୍ମୁଖୀନ ହୋଇପାରନ୍ତି। ଚଢ଼ା ଏହାକୁ ଏକ ସୁନ୍ଦର ବିଚାର ବୋଲି କହିଥିଲେ। ଯାହା ଫଳରେ ସେ ନିଜସ୍ବ ଦଳ ଗଠନ କରିବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସେ ଭାଜପାକୁ ବାଛିଥିଲେ।

ଚଢାଙ୍କ ପଦକ୍ଷେପ ପରେ ପର୍ବତାରୋହୀ ରୋହତାଶ ଖିଲେରୀ ସମେତ ଅନେକ ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଅନ୍‌ଫଲୋ କରିଛନ୍ତି, ଯିଏ ମାଉଣ୍ଟ ଏଲବ୍ରୁସରେ ୨୪ ଘଣ୍ଟା ବିନା ଅକ୍ସିଜେନ ବିତାଇଥିଲେ। #ଅନଫଲୋ ରାଘବଚଢ଼ା ଟ୍ବିଟରରେ ଟ୍ରେଣ୍ଡ କରୁଛି। ଲୋକମାନେ ଏହା ମଧ୍ୟ ଦେଖିଛନ୍ତି ଯେ, ରାଘବ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପାକୁ ସମାଲୋଚନା କରୁଥିବା ପୁରୁଣା ପୋଷ୍ଟ ଡିଲିଟ୍‌ କରିଛନ୍ତି। ଏଏପି ନେତା ସୌରଭ ଭରଦ୍ୱାଜ କଟାକ୍ଷ କରି କହିଛନ୍ତି ଯେ, ତାଙ୍କ ପ୍ରୋଫାଇଲରେ ଏବେ ‘ମୋଦି’ ନାମରେ କେବଳ ଦୁଇଟି ପୋଷ୍ଟ ଅଛି, ଯାହା ଦୁଇଟି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛି।

Dharitri – Odisha’s No.1 Odia Daily

Share