ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଥିବା ଯୁବକ ସଞ୍ଜୟ କୁମାର ଶବର (୨୮)ଙ୍କ ମୃତ୍ୟୁ ଘଟିଛି। ସେ ସ୍ଥାନୀୟ ପ୍ରଶାନ୍ତ ଶବରଙ୍କ ପୁଅ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୭ ତାରିଖରେ ସଞ୍ଜୟ ନିଜ କପା ବାଡ଼ରେ କାମ କରୁଥିବା ସମୟରେ ଏକ ବିଷାକ୍ତ ନାଗ ସାପ ତାଙ୍କୁ ଦଂଶନ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଗୁଡ଼ାରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗୁଣୁପୁର, ପାରଳାଖେମୁଣ୍ଡି ଏବଂ ପରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସ୍ଥିତ ଜେମ୍ସ (JEMS) ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଶ୍ରୀକାକୁଲମ ହସ୍ପିଟାଲରେ ଦୀର୍ଘ ଦିନ ଚିକିତ୍ସିତ ହେବା ପରେ ସୋମବାର ରାତିରେ ସଞ୍ଜୟଙ୍କର ମୃତ୍ୟୁ ଘଟିଥିବା ନେଇ ଡାକ୍ତର ଘୋଷଣା କରିଥିଲେ। ୧୦ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ହାରିଥିବା ଏହି ଯୁବକଙ୍କ ବିୟୋଗରେ ପରିବାର ଓ ଗାଁରେ ଗଭୀର ଶୋକ ପ୍ରକାଶ ପାଇଛି।
ମଙ୍ଗଳବାର ଭୋର ସମୟରେ ସଞ୍ଜୟଙ୍କ ମରଶରୀର ବାମୁଣୀଡଙ୍ଗର ଗ୍ରାମରେ ପହଞ୍ଚିବା ପରେ କାନ୍ଦବୋବାଳିରେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଥିଲା। ଏକ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।