ଛାତ୍ରୀଛାତ୍ରଙ୍କ ପାଠପଢା ପାଇଁ ୨୮ରୁ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬।୯(ବ୍ୟୁରୋ)-ମହାମାରୀ କରୋନା ଯୋଗୁ ଗତ ମାର୍ଚ୍ଚ ୧୭ ତାରିଖଠାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପଡ଼ି ରହିଛି। ପିଲାମାନେ କିପରି ଉଚିତ ଶିକ୍ଷା ପାଇପାରିବେ ସେଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଭିନ୍ନ ପଦକ୍ଷେପ ନେଇଛି। ଏବେ ଆଉ ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି ବିଭାଗ। ଛାତ୍ରୀଛାତ୍ରଙ୍କୁ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷା ଦିଆଯିବାକୁ ଉଦ୍ୟମ ହୋଇଛି। ଛାତ୍ରୀଛାତ୍ରଙ୍କ ଉଦ୍ଧେଶ୍ୟରେ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ବୋଲି ଶନିବାର ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ‘ରେଡିଓ ପାଠଶାଳା’ କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ଠାରୁ ଆକାଶବାଣୀର ସବୁ କେନ୍ଦ୍ରରୁ ଏକ ସମୟରେ ପ୍ରସାରିତ ହେବ। ଏହି କାର୍ଯ୍ୟକ୍ରମରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୧୦ଟାରୁ ୧୦ଟା ୧୫ ଯାଏ ପିଲାଙ୍କୁ ଶିକ୍ଷା ଦିଆଯିବ। ସୋମବାର ଦିନ ପ୍ରଥମ ଶ୍ରେଣୀ, ମଙ୍ଗଳବାର ଦ୍ୱିତୀୟ ଶ୍ରେଣୀ, ବୁଧବାର ତୃତୀୟ ଶ୍ରେଣୀ, ଗୁରୁବାର ଚତୁର୍ଥ ଶ୍ରେଣୀ ଓ ଶୁକ୍ରବାର ଷଷ୍ଠ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ଟାରୁ ୧୦ଟା ୫ ପର୍ଯ୍ୟନ୍ତ ରେଡିଓ ପାଠଶାଳା କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ସେହିପରି ସୋମବାର ପଞ୍ଚମ ଶ୍ରେଣୀ, ମଙ୍ଗଳବାର ଷଷ୍ଠ ଶ୍ରେଣୀ, ବୁଧବାର ସପ୍ତମ ଶ୍ରେଣୀ, ଗୁରୁବାର ଅଷ୍ଟମ ଶ୍ରେଣୀ ପିଲାଙ୍କ ଲାଗି ପୂର୍ବାହ୍ନ ୧୦ଟା ୫ରୁ ୧୦ଟା ୧୫ ପର୍ଯ୍ୟନ୍ତ ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ ହେବ। ସେହିପରି ଶୁକ୍ରବାର ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ୧୦ଟା ୫ରୁ ୧୦ଟା ୧୦ ପର୍ଯ୍ୟନ୍ତ ଏବଂ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୧୦ଟା ୧୦ରୁ ୧୦ଟା ୧୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେବ।