ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଉ ଚଳିବନି ଅପରାଧୀଙ୍କ ଦାଦାଗିରି କିମ୍ବା ବେଆଇନ ନିଶା କାରବାର। ବରଗଡ଼ର ନୂତନ ଆରକ୍ଷୀ ଅଧୀକ୍ଷକ (ଏସ୍ପି) ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିବା ପରେ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ରବିନ୍ଦ୍ରନାଥ ଶତପଥୀ। ସେବା ଓ ଜନସାଧାରଣଙ୍କ ସ୍ବାଭିମାନ ରକ୍ଷାକୁ ପ୍ରାଥମିକତା ଦେଇ ଏକ ଅପରାଧମୁକ୍ତ ବରଗଡ଼ ଗଠନ ପାଇଁ ସେ ସଂକଳ୍ପ ପ୍ରକାଶ କରିଛନ୍ତି।
ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୂତନ ଏସପି କହିଛନ୍ତି, ମୁଁ ଏଠାକୁ ଲୋକଙ୍କ ସେବା କରିବାକୁ ଆସିଛି। ଜନସାଧାରଣଙ୍କ ଭାବନା ଏବଂ ସ୍ବାଭିମାନ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। କିନ୍ତୁ ଏଠାରେ ଆଉ ଅପରାଧୀଙ୍କ ଦାଦାଗିରି ଚଳିବ ନାହିଁ କିମ୍ବା କୌଣସି ଅପରାଧୀଙ୍କୁ ଫ୍ରି ଛଡ଼ାଯିବ ନାହିଁ। ମୁଁ ଯେତେଦିନ ପର୍ଯ୍ୟନ୍ତ ରହିବି, ସମ୍ପୂର୍ଣ୍ଣ ନିଷ୍ଠାର ସହ ଠିକ ଭାବେ କାର୍ଯ୍ୟ କରିବି।”
ପୂର୍ବରୁ ଭୁବନେଶ୍ୱର ଏସ୍ଟିଏଫ୍ (STF) ଏସ୍ପି ଭାବେ କାର୍ଯ୍ୟ କରି ସାରିଥିବା ଶତପଥୀ ଜିଲାର ନିଶା କାରବାର ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି। ଜିଲାରେ ଚାଲୁଥିବା ଗଞ୍ଜେଇ ଏବଂ କୋରେକ୍ସ (Cough Syrup) ଭଳି ବେଆଇନ ନିଶା ସାମଗ୍ରୀ କାରବାର ଉପରେ ତାଙ୍କର କଡ଼ା ନଜର ରହିଛି ଏବଂ ଏହାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ସବୁ ବେଆଇନ କାରବାର ବିରୋଧରେ ଖୁବ୍ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହ ଅପରାଧମୂଳକ କାର୍ଯ୍ୟକଳାପ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯିବ। ସହରର ଟ୍ରାଫିକ ସମସ୍ୟାର ସଠିକ ସମାଧାନ କରାଯିବ। ସମସ୍ତଙ୍କ ସହଯୋଗରେ ବରଗଡ଼ବାସୀଙ୍କ ସୁରକ୍ଷା ନିଶ୍ଚିତ କରାଯିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ବରଗଡ଼ରେ କାର୍ଯ୍ୟରତ ପୂର୍ବତନ ଏସ୍ପି ପି.ଏସ୍ ମିନାଙ୍କୁ ଗଜପତି ଜିଲାର ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ, ତାଙ୍କ ସ୍ଥାନରେ ଏସ୍ଟିଏଫ୍ରୁ ବଦଳି ହୋଇ ଆସିଥିବା ଏସପି ଶତପଥୀ ଆଜି ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
Dharitri – Odisha’s No.1 Odia Daily