ନୂଆଦିଲ୍ଲୀ, ୯।୧୧: IPL ୨୦୨୭ ପାଇଁ ହେବାକୁ ଥିବା ଅକ୍ସନ ପୂର୍ବରୁ ସମ୍ଭାବ୍ୟ ଖେଳାଳି ଟ୍ରେଡ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅର୍ଶଦୀପ ସିଂହ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଖବର ଆସୁଛି ଯେ, ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ଖେଳାଳିଙ୍କ ଅଦଳବଦଳ କରିପାରନ୍ତି। ଏହି ମଧ୍ୟରେ ପୂର୍ବତନ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ବୈଭବ ସୂର୍ଯ୍ୟବଂଶୀଙ୍କ ଟ୍ରେଡ ହେବାର ସମ୍ଭାବନା ଉପରେ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ଆଗାମୀ ଦୁଇଟି ସାଇକେଲ ପର୍ଯ୍ୟନ୍ତ ବୈଭବ ରାଜସ୍ଥାନ ରୟାଲ୍ସ ଛାଡ଼ିବେ ବୋଲି ଲାଗୁନାହିଁ।
ସୋସିଆଲ ମିଡିଆରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ଜଣେ ଖବରଦାତାଙ୍କ ସହ ବୈଭବ ସୂର୍ଯ୍ୟବଂଶୀଙ୍କ IPL ଟ୍ରେଡ ସମ୍ଭାବନା ଉପରେ ଆଲୋଚନା କରୁଛନ୍ତି। ଅଶ୍ୱିନ କହିଛନ୍ତି ଯେ, ଯଦି ରାଜସ୍ଥାନ ରୟାଲ୍ସ ବୈଭବଙ୍କୁ ଛାଡ଼ିଦିଏ କିମ୍ବା ତାଙ୍କୁ ଟ୍ରେଡ କରେ, ତେବେ ଏହା ଉପରେ ସେ କ’ଣ କହିବେ ତାହା ଜାଣିପାରୁନାହାନ୍ତି।
ଅଶ୍ୱିନ କହିଛନ୍ତି, ମୋତେ ଲାଗୁନାହିଁ ଯେ ଆଗାମୀ ଦୁଇଟି ସାଇକେଲ ମଧ୍ୟରେ ବୈଭବ ସୂର୍ଯ୍ୟବଂଶୀ କେଉଁଆଡ଼େ ଯିବେ। ଯଦି ରାଜସ୍ଥାନ ରୟାଲ୍ସ ତାଙ୍କୁ ଛାଡ଼ିଦିଏ, ତେବେ ମୁଁ କ’ଣ କହିବି ଜାଣିନାହିଁ। ଯଦି ତାଙ୍କୁ ଟ୍ରେଡ ମଧ୍ୟ କରାଯାଏ, ତଥାପି ମୋ ପାଖରେ କହିବାକୁ କିଛି ନାହିଁ। ଏତେ ବର୍ଷ ପରେ ଏଭଳି ଜଣେ ଖେଳାଳି ମିଳିଛନ୍ତି, ଯାହାଙ୍କ ଖେଳ ଦେଖିବା ପାଇଁ ଲୋକମାନେ ଷ୍ଟାଡିୟମକୁ ଆସୁଛନ୍ତି।
୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିଥିଲା। ନିଜର ପ୍ରଥମ ସିଜିନ (୨୦୨୫)ରେ ହିଁ ସେ IPL ଇତିହାସରେ ଦ୍ରୁତତମ ଶତକ ହାସଲ କରିଥିବା ଦ୍ୱିତୀୟ ଖେଳାଳି ଏବଂ ପ୍ରଥମ ଭାରତୀୟ ହୋଇଥିଲେ। ଦ୍ୱିତୀୟ ସିଜିନ (୨୦୨୬)ରେ ତାଙ୍କ ପ୍ରଦର୍ଶନ ଆହୁରି ଚମତ୍କାର ରହିଥିଲା। ସେ ‘ପ୍ଲେୟର ଅଫ ଦି ଟୁର୍ନାମେଣ୍ଟ’ ସମେତ ପ୍ରାୟ ସମସ୍ତ ପୁରସ୍କାର ଜିତିଥିଲେ।
ଏଭଳି ସ୍ଥିତିରେ ରାଜସ୍ଥାନ ରୟାଲ୍ସ ତାଙ୍କୁ ଛାଡ଼ିବାର ସମ୍ଭାବନା ନଗଣ୍ୟ ବୋଲି କୁହାଯାଉଛି। ଏଥିପାଇଁ ଫ୍ରାଞ୍ଚାଇଜିକୁ ଯେତେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲେ ମଧ୍ୟ ସେମାନେ ବୈଭବଙ୍କୁ ନିଜ ପାଖରେ ରଖିବାକୁ ଚାହିଁବେ। କାରଣ ବୈଭବ ଏବେ କେବଳ ଜଣେ ଖେଳାଳି ନୁହନ୍ତି, ସେ ଏକ ବ୍ରାଣ୍ଡ୍ରେ ପରିଣତ ହୋଇସାରିଛନ୍ତି।