Categories: Home Leftଖେଳ

ପାକିସ୍ତାନୀ ବୋଲରଙ୍କ ବୟସକୁ ନେଇ ବଡ଼ ପ୍ରଶ୍ନ, ବୟସ ଲୁଚାଇ ଖେଳୁଛନ୍ତି ଅଣ୍ଡର-୧୯ ଟୁର୍ନାମେଣ୍ଟ! ଆସିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ, ୯।୧୧: ପାକିସ୍ତାନର ଯୁବ ଦ୍ରୁତ ବୋଲର ଅଲି ରଜା ଏବେ ଚର୍ଚ୍ଚାରେ ଅଛନ୍ତି। ରବିବାର ୨୦୨୬ ଅଣ୍ଡର-୧୯ ଏସିଆ କପରେ ଭାରତ ବିପକ୍ଷରେ ସେ ୩ଟି ଉଇକେଟ୍‌ ହାସଲ କରିଥିଲେ। ତେବେ ନିଜର ଦମ୍‌ଦାର ପ୍ରଦର୍ଶନ ପାଇଁ ନୁହେଁ, ବରଂ ବୟସକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ପ୍ରକୃତରେ, ଗତ ୩ ବର୍ଷ ମଧ୍ୟରେ ଅଲି ରଜା ପଞ୍ଚମ ଥର ପାଇଁ ଅଣ୍ଡର-୧୯ ଟୁର୍ନାମେଣ୍ଟ ଖେଳୁଛନ୍ତି। ଏହି ତଥ୍ୟ କ୍ରିକେଟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାକୁ ନେଇ ତାଙ୍କ ଉପରେ ବୟସ ଲୁଚାଇବାର ଅଭିଯୋଗ ମଧ୍ୟ ଉଠୁଛି।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର ରେକର୍ଡ ଅନୁସାରେ ଅଲି ରଜାଙ୍କ ଜନ୍ମ ତାରିଖ ୧୮ ମାର୍ଚ୍ଚ, ୨୦୦୮। ଏହି ହିସାବରେ ତାଙ୍କର ବୟସ ୧୮ ବର୍ଷ। କିନ୍ତୁ ତାଙ୍କ ଶାରୀରିକ ଗଠନ ଏବଂ ପଡ଼ିଆରେ ତାଙ୍କ ହାବଭାବକୁ ଦେଖି କିଛି ପ୍ରଶଂସକ ବୟସ ଲୁଚାଇଥିବା ନେଇ ପ୍ରଶ୍ନ ଉଠାଉଛନ୍ତି। ତେବେ ଏପର୍ଯ୍ୟନ୍ତ ତାଙ୍କ ବିରୋଧରେ ବୟସ ଜାଲିଆତି ସମ୍ପର୍କିତ କୌଣସି ମାମଲା କିମ୍ବା ତଦନ୍ତ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇନାହିଁ।

ଅଲି ରଜାଙ୍କ କ୍ରିକେଟ କ୍ୟାରିୟର ଉପରେ ନଜର ପକାଇଲେ ଜଣାପଡ଼େ ଯେ, ସେ ଗତ କିଛି ବର୍ଷ ମଧ୍ୟରେ ଏକାଧିକ ଅଣ୍ଡର-୧୯ ଟୁର୍ନାମେଣ୍ଟ ଖେଳିଛନ୍ତି। ସେ ୨୦୨୪ ଅଣ୍ଡର-୧୯ ବିଶ୍ୱକପ, ୨୦୨୪ ଓ ୨୦୨୫ ଅଣ୍ଡର-୧୯ ଏସିଆ କପ ଏବଂ ୨୦୨୬ ଅଣ୍ଡର-୧୯ ବିଶ୍ୱକପରେ ଖେଳିସାରିଛନ୍ତି। ବର୍ତ୍ତମାନ ଚାଲିଥିବା ୨୦୨୬ ଅଣ୍ଡର-୧୯ ଏସିଆ କପ ହେଉଛି ଗତ ତିନି ବର୍ଷ ମଧ୍ୟରେ ତାଙ୍କର ପଞ୍ଚମ ଅଣ୍ଡର-୧୯ ଟୁର୍ନାମେଣ୍ଟ।

କେବଳ ଜୁନିୟର କ୍ରିକେଟରେ ନୁହେଁ, ଅଲି ରଜା ପାକିସ୍ତାନ ସୁପର ଲିଗ (ପିଏସଏଲ) ଏବଂ ପାକିସ୍ତାନର ଘରୋଇ କ୍ରିକେଟରେ ମଧ୍ୟ ନିଜର ଘାତକ ବୋଲିଂ ପାଇଁ ଚର୍ଚ୍ଚା ସାଉଁଟିଛନ୍ତି। ତାଙ୍କର ଗତି ଏବଂ ପରିପକ୍ୱତାକୁ ଦେଖି ଅନେକ କ୍ରିକେଟ ପ୍ରଶଂସକ କହୁଛନ୍ତି ଯେ, ଏଭଳି ବୋଲରଙ୍କୁ ଆଉ ଅଣ୍ଡର-୧୯ ଭଳି ଜୁନିୟର ଟୁର୍ନାମେଣ୍ଟ ଖେଳିବା ଉଚିତ୍‌ ନୁହେଁ। ସେ ଏବେ ଏହି ସ୍ତରଠାରୁ ଉପରକୁ ଉଠିସାରିଛନ୍ତି ବୋଲି ପ୍ରଶଂସକଙ୍କ ମତ।

 

 

Dharitri – Odisha’s No.1 Odia Daily

Share
Tags: ali raza