ଓରାଙ୍ଗଉଟାନ ପରେ ଅଜଗର; ଚାଲାଣ ବେଳେ ବାଣୀବିହାର ବ୍ରିଜ ଉପରେ ଖସିପଡ଼ିଲା, ଛାନିଆ ଲୋକେ

ଭୁବନେଶ୍ୱର,୨୯।୯(ତ୍ରିନାଥ ମହାନ୍ତି): ବାଣୀବିହାର ଓଭରବ୍ରିଜ ଉପରେ ସୋମବାର ଏକ ବିରାଟ ଅଜଗର ସାପ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଅଜଗରକୁ ନେଇ ଏବେ ରାଜଧାନୀରେ ଛନକା ପଶିଛି। ଜଙ୍ଗଲରେ ଦେଖାଯାଉଥିବା ଅଜଗର କିଭଳି ଭାବେ ବ୍ରିଜ ଉପରକୁ ଆସିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠୁଛି। ଏହାକୁ ଗାଡ଼ିରେ ଚୋରା ଚାଲାଣ ବେଳେ ଖସିପଡ଼ିଥିବା ସ୍ନେକ୍‌ ଲାଇନ୍‌ ସଦସ୍ୟ ଏବଂ ବନବିଭାଗର କର୍ମଚାରୀ ସୂଚନା ଦେଇଛନ୍ତି । ଓରାଙ୍ଗଉଟାନ୍‌ ପରେ ଏବେ ଅଜଗର ଚୋରା ଚାଲାଣ ହେଉଥିବା ନେଇ ଏବେ ସ୍ପଷ୍ଟ ହୋଇଛି । ହେଲେ କିଏ ଏବଂ କାହିଁକି ଏହି ଜନ୍ତୁଙ୍କୁ ଚୋରା ଚାଲାଣ କରୁଥିଲା ତାହାକୁ ପ୍ରଶ୍ନ ଉଠୁଛି। ଓରାଙ୍ଗ୍‌ଉଟାନ୍‌ ଉଦ୍ଧାର ଘଟଣାକୁ ଆଉ କିଛି ଦିନ ଗଲେ ମାସେ ପୁରିବ। ହେଲେ ଏହି ରାକେଟ୍‌ର ମାଷ୍ଟରମାଇଣ୍ଡକୁ ଠାବ କରାଯାଇପାରି ନାହିଁ। ଏଭଳି ଭିତରେ ବାଣୀବିହାର ଓଭରବ୍ରିଜ୍‌ ଉପରେ ଅଜଗର ଉଦ୍ଧାର ଘଟଣା ଲୋକଙ୍କୁ ଚକିତ କରିଛି। ଏହି ଅଜଗର ଠାବ ହେବା ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ କରିପାରେ ବୋଲି କୁହାଯାଉଛି । ଜନ୍ତୁ ଚାଲାଣ ନେଇ ଏସ୍‌ଟିଏଫ ଏକାଧିକ ମାମଲାର ତଦନ୍ତ କରୁଥିଲେ ମଧ୍ୟ ସଫଳତା ନମିଳିବାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି ।
ସୋମବାର ଅପରାହ୍ନ ୨ଟା ସମୟରେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଏକ ୫ ଫୁଟ୍‌ ଲମ୍ବର ଏକ ଇଣ୍ଡିଆନ୍‌ ରକ୍‌ ପାଇଥନ ବା ଭାରତୀୟ ଅଜଗର ସାପଟି ଯାଉଥିଲା। ରାସ୍ତା ଉପରେ ଏଭଳି ବଡ଼ ଅଜଗରକୁ ଦେଖି ବାଟରେ ଯାଉଥିବା ଗାଡ଼ି ଚାଳକମାନେ ଅଟକିଥିଲେ। ସେମାନେ ମୋବାଇଲ୍‌ ଫଟୋ ଏବଂ ଭିଡ଼ିଓ କରିବା କରିବା ଦ୍ୱାରା ସେଠାରେ ଟ୍ରାଫିକ୍‌ ସମସ୍ୟା ହୋଇଥିଲା। ଲୋକେ ପୋଲିସ ଏବଂ ସ୍ନେକ ହେଲ୍ପଲାଇନକୁ ସୂଚନା ଦେଇଥିଲେ। ଖବର ପାଇ ସ୍ନେକ ହେଲ୍ପଲାଇନ ସଦସ୍ୟ ଆଶିଷ ବେହେରା ଘଟଣାସ୍ଥଳରେ ପହଞ୍ଚି ଅଜଗରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲେ।
ଏନେଇ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ଯେ, ରାଜଧାନୀରେ ଅଜଗର ମିଳିବା ବିରଳ, ତାହା ପୁଣି ବାଣୀବିହାର ବ୍ରିଜ୍‌ ଉପରେ। ବାଣୀବିହାର ଗେଟ ନିକଟରେ ମିଳିଥିଲେ କଥା କିଛି ଅଲଗା ହୋଇଥାନ୍ତା। କିନ୍ତୁ ବ୍ରିଜ୍‌ ଉପରକୁ ଅଜଗର ଯିବା ସମ୍ଭବ ନୁହେଁ। ତେଣୁ ରାଜଧାନୀ ଦେଇ ଚୋରା ଚାଲାଣ ବେଳେ ଏହା ଖସିପଡ଼ିଥିବା ସନ୍ଦେହ କରାଯାଉଛି। ଆହୁରି ମଧ୍ୟ କୌଣସି ଟ୍ରକ ବା ବସ ତଳେ ଚଢ଼ି ଆସୁଥିବା ବେଳେ ହୁଏତ ଧକଡଚକଡ ବେଳେ ଖସି ପଡ଼ିଥିବା ଗୋଟିଏ ସମ୍ଭାବନା ରହିଛି। ତେବେ ୩୦ ଫୁଟରୁ ଅଧିକ ଉଚ୍ଚ ଥିବା ଓଭର ବ୍ରିଜ ଉପରକୁ ଏଇ ଅଜଗର ସାପ କୁଆଡୁ ଆସିଲା ସେନେଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

 

Dharitri – Odisha’s No.1 Odia Daily

Share