ପୁଟିନ୍‌ଙ୍କ ପଞ୍ଚମ ପାଳି

ଲଳିତେନ୍ଦୁ ପଲାଉରୀ

 

ପୁଣି ରୁଷିଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭ୍ଲାଦିମିର ପୁଟିନ୍‌। ୨୦୨୨ରୁ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ଭୟାବହତା, ନାଟୋ ସହ ତିକ୍ତତା, ପଶ୍ଚିମ ଓ ୟୁରୋପୀୟ ଦେଶଗୁଡ଼ିକ ଦ୍ବାରା ଏକଘରିଆ ଓ ଆର୍ଥିକ ବାସନ୍ଦ ହୋଇଥିବା ରୁଷିଆ ରାଷ୍ଟ୍ରପତି ପୁଟିନ୍‌ କିନ୍ତୁ ପୁଣି ରୁଷ୍‌ବାସୀଙ୍କ ୮୮ ପ୍ରତିଶତ ଭୋଟ ପାଇ ବିପୁଳ ବିଜୟୀ ହୋଇଛନ୍ତି। ତେଣୁ ୨୦୦୦ରୁ ୨୦୨୪ ମଧ୍ୟରେ ୪ଥର ରାଷ୍ଟ୍ରପତି ଓ ଥରେ ପ୍ରଧାନମନ୍ତ୍ରୀ ହୋଇସାରିଥିବା ଭ୍ଲାଦିମିର ପଞ୍ଚମଥର ମଧ୍ୟ ରୁଷିଆର ସର୍ବମୟ କର୍ତ୍ତା ହୋଇଛନ୍ତି। ପୁଟିନ୍‌ଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା ନିକୋଲାଇ ଖାରିତୋନୋଭଙ୍କୁ ମାତ୍ର ୪ ପ୍ରତିଶତ ଭୋଟ ମିଳିଛି। ଭ୍ଲାଦିସ୍ଲାଭ ଦାଭାନକୋଭ ଏବଂ ଲିୟୋନିଡ ସ୍ଲଟସ୍କି ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି। ପୁଟିନ୍‌ ବିରୋଧୀ ପ୍ରାର୍ଥୀମାନେ କେହି ବି ୫ ପ୍ରତିଶତରୁ ଅଧିକ ଭୋଟ ହାତେଇ ପାରିନାହାନ୍ତି। ସୋଭିଏତ୍‌ ସଂଘର ବିଲୟ ଓ ରୁଷିଆ ରାଷ୍ଟ୍ରପତି ନିର୍ବାଚନରେ ପୁଟିନ୍‌ଙ୍କର ଏହା ହେଉଛି ସବୁଠୁ ବଡ଼ ବିଜୟ। ରୁଷିଆ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଓ ପୁଟିନ୍‌ଙ୍କ ବିପୁଳ ବିଜୟକୁ ନେଇ ଆମେରିକା, ଜର୍ମାନୀ, ବ୍ରିଟେନ୍‌ ଏବଂ ଅନ୍ୟ ଦେଶର ନେତାମାନେ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ କରିଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ରୁଷିଆ ରାଷ୍ଟ୍ରପତି ନିର୍ବାଚନକୁ ଅବୈଧ କହିଛନ୍ତି। ନିକଟରେ ଜେଲରେ ପ୍ରାଣ ହରାଇଥିବା ପୁଟିନ୍‌ଙ୍କ ବଡ଼ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍‌ସି ନାଭାଲ୍‌ନିଙ୍କ ପତ୍ନୀ ୟୁଲିଆ ନଭାଲ୍‌ନୀ ମଧ୍ୟ ରୁଷିଆରେ ରାଷ୍ଟ୍ରପତି ନିର୍ବାଚନକୁ ଅବୈଧ, ଏକପାଖିଆ କହି ସମାଲୋଚନା କରିଛନ୍ତି।
ତେବେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ୍‌ଙ୍କ ମନ୍ତବ୍ୟ ବିଶ୍ବ ପାଇଁ ଆଉ ଏକ ଭୟର ବାତାବରଣ ସୃଷ୍ଟି କରିଛି। ରୁଷିଆ ଆଗକୁ ସାମରିକ କ୍ଷେତ୍ରରେ ଅଧିକ ଶକ୍ତିଶାଳୀ ହେବ, ୟୁକ୍ରେନ୍‌ ବିରୋଧରେ ରୁଷିଆର ସ୍ପେଶାଲ ମିଲିଟାରି ଅପରେଶନ ଅଧିକ ଭୟଙ୍କର ହେବ, ରୁଷିଆ ସେନାକୁ ଆହୁରି ମଜଭୁତ କରାଯିବ ବୋଲି ପୁଟିନ୍‌ ବୟାନ ଦେଇଛନ୍ତି। ୟା’ଭିତରେ ସବୁଠାରୁ ବଡ଼ ବୟାନ ହେଉଛି, ତୃତୀୟ ବିଶ୍ବଯୁଦ୍ଧ ପାଇଁ ଏକପ୍ରକାର ଆହ୍ବାନ ଦେଇଛନ୍ତି ପୁଟିନ୍‌। ନାଟୋ ସେନା ଓ ଆମେରିକାକୁ ଚେତାବନୀ ଦେବା ଛଳରେ ପୁଟିନ୍‌ କହିଛନ୍ତି, ରୁଷିଆ ଉପରେ ଆକ୍ରମଣ କଲେ ତୃତୀୟ ବିଶ୍ବଯୁଦ୍ଧ ନିଶ୍ଚିତ, ଏହାକୁ କେହି ବି ଟାଳିପାରିବେ ନାହିଁ। ପୁଟିନ୍‌ ପୁଣି ରାଷ୍ଟ୍ରପତି ଭାବେ ବିଜୟୀ ହେବା ପରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ବର୍ତ୍ତମାନ ପୁଟିନ୍‌ଙ୍କ ପଞ୍ଚମ ପାଳି ଓ ପୁଣି ୨୦୩୦ ନିର୍ବାଚନରେ ବିଜୟୀ ହେଲେ ଅତୀତର ସୋଭିଏତ୍‌ ରୁଷ୍‌ ଓ ବର୍ତ୍ତମାନ ରୁଷିଆର ୨୦୦ ବର୍ଷ ଇତିହାସରେ ପୁଟିନ୍‌ଙ୍କ ନାଁରେ ନୂଆ ରେକର୍ଡ ସୃଷ୍ଟି ହେବ। ସୋଭିଏତ୍‌ ରୁଷ୍‌ର ଶାସକ ଜୋସେଫ୍‌ ଷ୍ଟାଲିନଙ୍କ ନାଁରେ ୩୦ବର୍ଷ ଶାସନ କରିଥିବାର ରେକର୍ଡ ଥିବାବେଳେ ଗତ ୨୦୦୦ରୁ ୨୦୨୪ ଦୀର୍ଘ ୨୪ ବର୍ଷ ରୁଷିଆ କ୍ଷମତାକେନ୍ଦ୍ରର ମୁଖ୍ୟ ପାଲଟିଥିବା ପୁଟିନ୍‌ ଏହି ରେକର୍ଡ ଭାଙ୍ଗିବେ, ଏଥିରେ କୌଣସି ସନ୍ଦେହ ନାହିଁ। ପ୍ରଶ୍ନ ଉଠୁଛି, ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ୍‌ ୟୁଦ୍ଧ ଚାଲିଥିବା ବେଳେ ଏହାକୁ ନେଇ ରୁଷ୍‌ବାସୀଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚତ୍ଛି। ଦେଶର ଅର୍ଥନୀତି ମଧ୍ୟ ବରବାଦ ସ୍ଥିତିରେ। ଏ ସବୁ ଭିତରେ ସାଧାରଣ ନାଗରିକଙ୍କ ମଧ୍ୟରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ରେକର୍ଡ ପ୍ରତିଶତ ମତଦାନରେ ସମର୍ଥନ ମିଳିଲା କେମିତି। ତାଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ୱିତା କରୁଥିବା ଅନ୍ୟ ବିରୋଧୀ ପ୍ରାର୍ଥୀମାନେ ପୁଟିନ୍‌ଙ୍କ ପାଖ ମାଡ଼ିବା ତ ଦୂରର କଥା ତାଙ୍କ ଛାଇ ବି ଛୁଇଁପାରି ନାହାନ୍ତି। ତେଣୁ ପୁଟିନ୍‌ଙ୍କ ଏଭଳି ବିଜୟ ଆଗାମୀ ୨୦୩୬ ଯାଏ ସେ ରୁଷ୍‌ର ରାଷ୍ଟ୍ରପତି ରହିପାରନ୍ତି, ଏହା ନିଃସନ୍ଦେହ।
୨୦୦୦ ମସିହାରେ ପ୍ରଥମେ ରୁଷିଆ ରାଷ୍ଟ୍ରପତି ଆସନରେ ବସିଥିବା ପୁଟିନ୍‌ ପୁଣି ୨୦୦୪ରେ ଦ୍ବିତୀୟଥର ରାଷ୍ଟ୍ରପତି ହୋଇଥିଲେ। ୨୦୦୮ରେ ନିଜର ବିଶ୍ବସ୍ତ ଡିମିଟ୍ରି ମେଡଭେଦବଙ୍କୁ ରାଷ୍ଟ୍ରପତି କରାଇ ନିଜେ ପ୍ରଧାନମନ୍ତ୍ରୀ ଭାବେ ଗୋଟିଚାଳନା କରୁଥିଲେ। ଦେଶର ସମ୍ବିଧାନ ସଂଶୋଧନ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳକୁ ୪ରୁ ୬ ବର୍ଷକୁ ବୃଦ୍ଧି କରିଥିଲେ। ୨୦୧୪ରେ କ୍ରିମିଆ ଉପରେ ଆକ୍ରମଣ କରି ରୁଷ୍‌ରେ ହିରୋ ସମ୍ମାନ ଗ୍ରହଣ କରିଥିବା ପୁଟିନ୍‌ କିନ୍ତୁ ୨୦୨୨ରେ ୟୁକ୍ରେନ୍‌ ବିପକ୍ଷ ଯୁଦ୍ଧରେ ଦେଶବାସୀଙ୍କ ସମର୍ଥନ ଯୋଗାଡ଼ରେ ବିଫଳ ହୋଇଛନ୍ତି କହିଲେ ଭୁଲ୍‌ ହେବନି। ୨୦୧୩ରୁ ୨୦୧୬ ମଧ୍ୟରେ ୪ଥର ବିଶ୍ବର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ମର୍ଯ୍ୟାଦା ମଧ୍ୟ ପୁଟିନ୍‌ଙ୍କୁ ମିଳିସାରିଛି। ଏହାସହ ରୁଷିଆର ସବୁଠାରୁ ଧନୀ ବ୍ୟକ୍ତି ଓ ଦେଶର ଧନୀକ ଏବଂ ପ୍ରଭାବଶାଳୀ ବର୍ଗଙ୍କ ଲଗାମ ମଧ୍ୟ ନିଜ ହାତରେ ନିୟନ୍ତ୍ରଣ କରିଚାଲିଛନ୍ତି। ରୁଷ୍‌ର ରାଜନୈତିକ ବ୍ୟବସ୍ଥା କହୁଛି ରୁଷିଆର ସଂସଦ, ଯାହାକୁ ଫେଡେରାଲ ଆସେମ୍ବ୍ଲି ବୋଲି କୁହାଯାଏ ଏଠାରେ ମଧ୍ୟ ଆମ ଦେଶର ସଂସଦ ଭଳି ଦୁଇଟି ସଦନ ରହିଛି। ରୁଷିଆ ସଂସଦର ଅପର ହାଉସ୍‌କୁ କାଉନ୍‌ସିଲ ଅଫ୍‌ ଫେଡେରେଶନ କୁହାଯାଉଥିବା ବେଳେ ଲୋୟର ହାଉସ୍‌କୁ ଷ୍ଟେଟ୍‌ ଡୁମା ବୋଲି କୁହାଯାଏ। ଆଉ ଗଣତାନ୍ତ୍ରିକ ରାଷ୍ଟ୍ର ରୁଷିଆରେ କିନ୍ତୁ ରାଷ୍ଟ୍ରପତି ପୁଟିନ୍‌ଙ୍କ କାର୍ଯ୍ୟକାଳ ସମୟରେ ଗଣତନ୍ତ୍ର କମ୍‌ ବରଂ ଏକଚ୍ଛତ୍ରବାଦ ଅଧିକ ବୋଲି ସାରାବିଶ୍ବ ଅନୁଭବ କରିପାରୁଛି। ରାଷ୍ଟ୍ରପତି ପୁଟିନ୍‌ ଦେଶର ସବୁଠାରୁ ଶକ୍ତିଶାଳୀ ବିବେଚିତ ହୋଇଛନ୍ତି। ଅତୀତରେ ପୁଟିନ୍‌ଙ୍କ ଅନେକ ନିନ୍ଦୁକଙ୍କୁ କେଉଁଠି ନା କେଉଁଠି ବିଷ ଦିଆଯାଇ ହତ୍ୟା କରାଯାଇଛି। ଶେଷରେ ଏତିକି କୁହାଯାଇପାରେ, ଗଣତନ୍ତ୍ର ନାଁରେ ସ୍ବେଚ୍ଛାଚାରିତା ଶାସନ କିଛିଦିନ ପାଇଁ ଦେଶର ସାଧାରଣ ନାଗରିକଙ୍କୁ ଚୁପ୍‌ ରଖିପାରେ କିନ୍ତୁ ସବୁ ଦିନ, ସବୁ ସମୟ କୌଣସି ସ୍ବେଚ୍ଛାଚାରୀ ଶାସକ ବା ଏକଚ୍ଛତ୍ରବାଦୀ ଶାସକଙ୍କୁ ଦେଶର ଅଗଣିତ ନାଗରିକ କ୍ଷମାଦେବେ ନାହିଁଁ।
ବାଲିପନ୍ତାଳ, ନଗର ଅସ୍ତରଙ୍ଗ, ପୁରୀ
ମୋ: ୯୭୭୮୬୯୭୦୩୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri