ପୁରୁଷୋତ୍ତମପୁର, ୪।୮ (ସବିତା ମିଶ୍ର): ଗଞ୍ଜାମ ଜିଲ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଶୁକ୍ରବାର ସଡ଼କ ଦୁର୍ଘଟଣାଜନିତ ଶୂନ୍ୟ ମୃତାହତ ଲକ୍ଷ୍ୟରେ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ଆଇଆଇସି କୁଳମଣି ସେଠୀଙ୍କ ସଂଯୋଜନାରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ତହସିଲଦାର ବିନୋଦ କୁମାର ବେହେରା, ଏସ୍ଡିପିଓ ସୁଜିତ କୁମାର ନାୟକ, ଜୁନିୟର ଏମ୍ଭିଆଇ ରୋହିତ କୁମାର ପଣ୍ଡା ଓ କନକା ଅଟୋମୋବାଇଲ୍ ଆସୋସିଏସନ୍ର ସଭାପତି କେ. ବାଲେଶ୍ୱର ରାଓ ଯୋଗଦେଇଥିଲେ।
ଏହି ଅବସରରେ ଅଧିକାରୀମାନେ ସଡ଼କ ସୁରକ୍ଷା ଉପରେ ଗାଡ଼ିଚାଳକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ମଦ୍ୟପାନ କିମ୍ବା ନିଶାସେବନ କରି ଗାଡ଼ି ନ ଚଳାଇବା, ବାଇକ୍ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା, ବାଇକ୍ରେ ତିନିଜଣ ନ ବସିବା ସହ ଗାଡ଼ିର ଇନ୍ସ୍ୟୁରାନ୍ସ, ପରମିଟ୍, ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ୍ ପ୍ରମାଣପତ୍ର ସମୟରେ ନବୀକରଣ କରିବାକୁ ସଚେତନ କରାଯାଇଥିଲା।
ଏହି ଅବସରରେ ଗାଡ଼ିଚାଳକମାନଙ୍କୁ ଗୋଲାପ ଫୁଲ ପ୍ରଦାନ କରାଯାଇ ସୁରକ୍ଷିତ ଯାତ୍ରା ପାଇଁ ବାର୍ତ୍ତା ଦିଆଯାଇଥିଲା। ଏଥିସହ ସହରରେ ଏକ ସଚେତନତା ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା।