ପଞ୍ଚାୟତ ନିର୍ବାଚନର ଉଦ୍ଦେଶ୍ୟ ଓ ବାସ୍ତବତା

ଅନିଲ କୁମାର ବିଶ୍ୱାଳ

ରାଜ୍ୟରେ ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଓଡ଼ିଶାରେ ପାଖାପାଖି ୮୫% ଲୋକେ ରୁହନ୍ତି ଗ୍ରାମାଞ୍ଚଳରେ; ଯେଉଁଠି ଏହି ନିର୍ବାଚନ ହେବାକୁ ଯାଉଛି । ବିଧାନସଭା ଓ ଲୋକ ସଭା ନିର୍ବାଚନ ସହିତ ପଞ୍ଚାୟତ ନିର୍ବାଚନକୁ ତୁଳନା କଲେ ଏହା କୌଣସି ଦୃଷ୍ଟିରୁ କମ୍‌ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଳଦୁଆ ହେଉଛନ୍ତି ପଞ୍ଚାୟତ ସ୍ତରରେ ଥିବା ଜନପ୍ରତିନିଧିମାନେ। ଏମାନେ ହିଁ ସିଧାସଳଖ ଲୋକମାନଙ୍କ ପ୍ରତ୍ୟକ୍ଷ ସମ୍ପର୍କରେ ଆସିଥାନ୍ତି। ଆମେ ଯେଉଁ ଗାନ୍ଧୀଙ୍କ ଗ୍ରାମ୍ୟ ସ୍ବରାଜ୍ୟ କିମ୍ବା ଅନ୍ତର୍ଭୁକ୍ତ ବିକାଶ କିମ୍ବା ସମାଜର ତଳ ସ୍ତରରେ ଥିବା ଲୋକମାନଙ୍କର ବିକାଶର କଥା କହୁ, ତାହାକୁ ସାକାର କରିବା ପାଇଁ ଯଦି ସବୁଠାରୁ କାହାର ବେଶି ଭୂମିକା ଥାଏ ତାହା ହେଉଛି ପଞ୍ଚାୟତସ୍ତରର ଜନପ୍ରତିନିଧିମାନଙ୍କର। ସାରା ବିଶ୍ୱର ଅନେକ ଦେଶରେ ଆମ ଦେଶ ଭଳି ସ୍ଥାନୀୟ ସ୍ବାୟତ୍ତ ଶାସନ ବ୍ୟବସ୍ଥା ରହିଛି। ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପଞ୍ଚାୟତ ବା ସ୍ଥାନୀୟ ସ୍ବାୟତ୍ତ ବ୍ୟବସ୍ଥା ଯେତେ ସୁଦୃଢ଼, ଦୁର୍ନୀତିମୁକ୍ତ, ପାରଦର୍ଶୀ ସେହି ଦେଶ ବା ରାଜ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ସେତେ ଉଚ୍ଚତର।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚନ ହେଉଛି ଗଣତାନ୍ତ୍ରିକ ଅଧିକାର, ଦାୟିତ୍ୱ, କର୍ତ୍ତବ୍ୟର ମହାପର୍ବ। ନିଜର ଶାସନ ନିଜେ ଚଲାଇବା ପାଇଁ ସମ୍ବିଧାନ ଯେଉଁ ଅଧିକାର ସାଧାରଣ ଜନତାକୁ ଦେଇଥାଏ ତାହାର ମାଧ୍ୟମ ହେଉଛି ନିର୍ବାଚନ। ଅତୀତରେ ଓଡ଼ିଶାରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଆମେ ଦେଖିଛେ। ଚଳିତ ଥର ହେବାକୁ ଯାଉଥିବା ନିର୍ବାଚନ ସମ୍ବନ୍ଧୀୟ ଅନେକ କିଛି ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଏସବୁକୁ ତର୍ଜମା କରିଲା ପରେ ଏହା ଆମକୁ ଚିନ୍ତାରେ ପକାଉଛି । ପଞ୍ଚାୟତିରାଜ ବ୍ୟବସ୍ଥା ଏବଂ ନିର୍ବାଚନର ଅସଲ ଉଦ୍ଦେଶ୍ୟ ଓ ବାସ୍ତବତା ଭିତରେ ଅତ୍ୟଧିକ ଫରକ ଅନୁଭୂତ ହେଉଛି।
ଆଜକୁ ୫୦-୬୦ ବର୍ଷ ତଳେ ଆମ ଦେଶରେ କୌଣସି ନିର୍ବାଚନ ବ୍ୟୟବହୁଳ ନ ଥିଲା। କିନ୍ତୁ ଆଜି ସେହି ସ୍ଥିତି ନାହିଁ। ବିଧାନସଭାରୁ ନେଇ ଲୋକ ସଭା, ପଞ୍ଚାୟତରୁ ନେଇ ନଗରପାଳିକା, ସମସ୍ତ ପ୍ରକାରର ନିର୍ବାଚନ ଯେଉଁଭଳି ବ୍ୟୟବହୁଳ ହେଲାଣି ତାହାକୁ ଦେଖିଲେ ରାଜନୀତିରେ ସ୍ବଚ୍ଛତା ଯେ ଏକ ଅବାସ୍ତବ ବାସ୍ତବତା ତାହା ବୁଝିହେବ। ଗାନ୍ଧୀଙ୍କ ଗ୍ରାମ୍ୟ ସ୍ବରାଜର ଆଧାର ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥା। ସରପଞ୍ଚଙ୍କର କାମ କେବଳ ପଞ୍ଚାୟତରେ ଠିକା କାମ ବାଣ୍ଟିବା କିମ୍ବା ସରକାରୀ ଯୋଜନାର ତଦାରଖ କରିବା ନୁହେଁ। ଯଦି କୌଣସି ପଞ୍ଚାୟତରେ ସରପଞ୍ଚ ଓ ଅନ୍ୟ ପଦରେ ଯୋଗ୍ୟ ଲୋକମାନେ ରହିବେ ତା’ହେଲେ ସେ ଗାଁରେ ଚୋରା ମଦ ବିକ୍ରି ହୋଇପାରିବ ନାହିଁ, ଭାଇ ଭାଇ ଭିତରେ ଗଣ୍ଡଗୋଳ ହୋଇ ମାଲିମକଦ୍ଦମାରେ ଗାଁ ଅଶାନ୍ତି ହେବନି, ସରକାରୀ ସ୍କୁଲ, ଡାକ୍ତରଖାନା ଠିକ ଭାବରେ ଚାଲିବ, ଯୋଗ୍ୟ ଲୋକକୁ ସରକାରୀ ସୁବିଧା ମିଳିବ, ଗାଁରେ ଭାଇଚାରା ବଜାୟ ରହିବ, ଗାଁରେ ଦୋଳ ମେଳଣ ସୁରୁଖୁରୁରେ ହେବ ଇତ୍ୟାଦି। ମୋଟାମୋଟି ଭାବରେ ଆମେ ଗାଁ କହିଲେ ଭାବପ୍ରବଣତାର ଯେଉଁ ଭାବନାଟି ମନକୁ ଆସେ ତାହା ବଜାୟ ରହିବ।
ହେଲେ ସାମ୍ପ୍ରତିକ ପରିସ୍ଥିତିରେ ଆମେ ଯେଉଁଭଳି ଢଙ୍ଗରେ ପଞ୍ଚାୟତ ନିର୍ବାଚନକୁ ଆଖିରେ ଦେଖୁଛେ ତାହା ନା କେବଳ ଗାନ୍ଧୀଙ୍କ ଗ୍ରାମ୍ୟ ସ୍ବରାଜର ସମ୍ପୂର୍ଣ୍ଣ ବିପରୀତ ବରଂ ଭାରତୀୟ ଗ୍ରାମ୍ୟ ଜୀବନ ଦର୍ଶନର ପରିପନ୍ଥୀ ମଧ୍ୟ। ନିର୍ବାଚନ ଜିତିବା ହାରିବାର ପ୍ରତିଯୋଗିତା ଏତେ ବଢ଼ିଯାଇଛି ଯେ ସବୁ ପ୍ରକାର ନିୟମକାନୁନ, ନୀତି ନୈତିକତାର ଜଳାଞ୍ଜଳି ଭିତରେ ଅନୁଷ୍ଠିତ ହେଉଛି ପଞ୍ଚାୟତ ନିର୍ବାଚନ। ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଜାନୁୟାରୀ, ଫେବୃୟାରୀରେ ନୋଟବନ୍ଦୀ ସତ୍ତ୍ୱେ ମଦ ବିକ୍ରି ୨୦୦% ବଢ଼ିଥିଲା। ସେହି ନିର୍ବାଚନରେ ଓଡ଼ିଶାରେ ରାଜନୈତିକ ହିଂସା ଏତେ ବଢ଼ିଥିଲା ଯେ ସେହିବର୍ଷର ଜାତୀୟ କ୍ରାଇମ ରେକଡର୍ର୍ ବ୍ୟୁରୋ ରିପୋର୍ଟରେ ଓଡ଼ିଶା ରାଜନୈତିକ ହିଂସାକାଣ୍ଡରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନରେ ଥିଲା। ଅନେକ ଲୋକଙ୍କ ଜୀବନ ଯାଇଥିଲା ନିର୍ବାଚନର ସେହି ଦୁଇମାସରେ। କେଉଁ ଦଳର କର୍ମୀ ମାରିଲେ, କେଉଁ ଦଳର କର୍ମୀ ମରିଲେ ତାହା ପ୍ରସଙ୍ଗ ନୁହେଁ, ବରଂ ଉଦ୍‌ବେଗର କଥା ହେଉଛି ଯେ ଗାଁରେ ଭାଇ ଭାଇ ଭିତରେ ହଣାକଟା ହେଲା, ଗାଁର ଭାଇ ଭାଇକୁ ମାରିଲା। ଚତୁର୍ଦ୍ଦଶ ଅର୍ଥ କମିଶନର ସୁପାରିସ ପରେ ପଞ୍ଚାୟତକୁ ଏବେ ଆର୍ଥିକ ଅନୁଦାନ ବଢ଼ିଛି। ତାହା ହିଁ ହେଉଛି ମୁଖ୍ୟ ଆକର୍ଷଣ, ନିର୍ବାଚନରେ ଏତେ ପ୍ରାର୍ଥୀ ଠିଆହେବାର ଓ ନିର୍ବାଚନ ବ୍ୟୟବହୁଳ ହୋଇଯିବାର। ଅବଶ୍ୟ କିଛି ଲୋକ ସେବା କରିବା ଉଦ୍ଦେଶ୍ୟରେ ଆସୁଛନ୍ତି, କିଛି ପଞ୍ଚାୟତରେ ଆଦର୍ଶ ଶୃଙ୍ଖଳାରେ ସବୁକିଛି ହେଉଛି, ହେଲେ ସେଭଳି ସଂଖ୍ୟା ବହୁତ କମ୍‌।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କେବଳ ଜିଲାପରିଷଦକୁ ଛାଡ଼ିଦେଲେ ବାକି ସରପଞ୍ଚ, ସମିତି ସଭ୍ୟ, ଓାଡର୍ର୍ ସଭ୍ୟ ସବୁ ହେଉଛି ଦଳମୁକ୍ତ ନିର୍ବାଚନ। ଏହି ପଦବୀ ପାଇଁ ନିର୍ବାଚନରେ କୌଣସି ଦଳ ପ୍ରାର୍ଥୀ ଦେବେ ନି କି କୌଣସି ଦଳୀୟ ଚିହ୍ନ, ପତାକା ରହିବନି। କିନ୍ତୁ ବାସ୍ତବରେ ଯାହା ଦେଖିବାକୁ ମିଳୁଛି ଯେ ଅଧିକାଂଶ ପ୍ରାର୍ଥୀ ସେମାନଙ୍କ ବ୍ୟାନର, ପ୍ରଚାରପତ୍ରରେ ଦଳର ନାଁ, ବିଧାୟକ, ସାଂସଦ ଏପରି କି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଫଟୋକୁ ବି ଖୋଲାଖୋଲା ଲଗାଉଛନ୍ତି। ନିଜକୁ ଦଳୀୟ ପ୍ରାର୍ଥୀ ବୋଲି ଘୋଷଣା କରୁଛନ୍ତି। ଏପରି କି ସାମ୍ବିଧାନିକ ପଦବୀରେ ଥିବା ମନ୍ତ୍ରୀମାନେ ପ୍ରଚାରରେ ଅମୁକ ଆମ ଦଳର ସରପଞ୍ଚ କି ସମିତିସଭ୍ୟ ପ୍ରାର୍ଥୀ ବୋଲି ସଭାସମିତିରେ ଖୋଲାଖୋଲି ଘୋଷଣା କରୁଛନ୍ତି। ଏଭଳି ବେଆଇନ କାମ ଖୋଲାଖୋଲି ଚାଲୁଥିବା ବେଳେ ନିର୍ବାଚନ ପରିଚାଳନା କରୁଥିବା ନିର୍ବାଚନ ଅଧିକାରୀମାନେ ଚୁପ୍‌ଚାପ ବସିଛନ୍ତି। ଯଦି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କେଉଁ ମନ୍ତ୍ରୀ କିମ୍ବା ବିଧାୟକଙ୍କୁ ଏପ୍ରସଙ୍ଗରେ ନୋଟିସଟିଏ ପଠାନ୍ତେ ବା ଦଳୀୟ ସମର୍ଥନ ଆଧାରରେ କେଉଁ ପ୍ରାର୍ଥୀଙ୍କର ପ୍ରାର୍ଥତ୍ତ୍ୱକୁ ଖାରଜ କରିଦିଅନ୍ତେ ତା’ହେଲେ ଯାଇ କମ୍‌ସେ କମ୍‌ ଟିକିଏ ଦଳମୁକ୍ତ ହୋଇପାରନ୍ତା। ଦଳମୁକ୍ତ ପଞ୍ଚାୟତ ନିର୍ବାଚନରେ ଓଡ଼ିଶାରେ ସବୁଦଳ ଖୋଲାଖୋଲି ଘୋଷଣା କରିଛନ୍ତି ଯେ ଆମେ ସମସ୍ତ ଆସନରେ ପ୍ରାର୍ଥୀ ଦେବୁ, ବ୍ଲକ ଚେୟାରମ୍ୟାନ ପଦବୀ ହାତେଇବୁ ଇତ୍ୟାଦି। ସେହିପରି ଜିଲା ପରିଷଦ ନିର୍ବାଚନକୁ ଦଳଯୁକ୍ତ କରିବା ମଧ୍ୟ ପରୋକ୍ଷରେ ରାଜନୈତିକ ଦଳମାନଙ୍କୁ ସରପଞ୍ଚ ନିର୍ବାଚନରେ ଖୋଲା ହସ୍ତକ୍ଷେପ କରିବା ପାଇଁ ସୁଯୋଗ ଦେଉଛି। ସମସ୍ତ ରାଜନୈତିକ ଦଳ ପଞ୍ଚାୟତ ନିର୍ବାଚନକୁ ଗଣତାନ୍ତ୍ରିକ ବ୍ୟବସ୍ଥାର ମୂଲ୍ୟବୋଧ ଓ ସାଧାରଣ ଲୋକମାନଙ୍କର ଭାଗୀଦାରି ଦୃଷ୍ଟିରୁ ଦେଖିବା କଥା ଯାହା ସେମାନେ କରୁନାହାନ୍ତି।
ଯଦିଓ ପଞ୍ଚାୟତ ନିର୍ବାଚନରେ ଆମେ ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱ ଦେଉଛେ ଓ ୫୦% ଆସନ ସଂରକ୍ଷଣ ଦେଉଛେ ହେଲେ ବାସ୍ତବରେ ଏହା ସେତେଟା ଫଳପ୍ରଦ ହେଉନାହିଁ। କାରଣ ମହିଳା ନିର୍ବାଚିତ ହେଲେ ବି ସବୁ ବୁଝୁଛନ୍ତି ସ୍ବାମୀମାନେ ବା ପୁରୁଷମାନେ। ନିର୍ବାଚନ ଲଢ଼ିବା ପାଇଁ ମନା ନାହିଁ କିନ୍ତୁ ସେମାନେ ଖେଳଣା ନ ହୁଅନ୍ତୁ। ରବରଷ୍ଟାମ୍ପ ପଞ୍ଚାୟତ ପ୍ରତିନିଧି ନିର୍ବାଚିତ ହେଲେ ମହିଳା ସଶକ୍ତୀକରଣ ହୋଇପାରିବ ନାହିଁ।
ପଞ୍ଚାୟତିରାଜ ବ୍ୟବସ୍ଥାରେ ଲୋକମାନେ ନିଜ ଅଞ୍ଚଳର ବିକାଶ ପାଇଁ ଆସୁଥିବା ଯୋଜନାକୁ ନେଇ ନିଜର ମତ ରଖିପାରିବେ। ପଞ୍ଚାୟତିରାଜ ବ୍ୟବସ୍ଥାର ନିୟମ କହୁଛି ପଞ୍ଚାୟତକୁ ଆସୁଥିବା ପ୍ରତିଟି ପଇସାର ଖର୍ଚ୍ଚ ସେହି ପଞ୍ଚାୟତ ବାସିନ୍ଦାଙ୍କ ତତ୍ତ୍ୱାବଧାନ ଓ ସହମତିରେ ହେବ। ହେଲେ ବାସ୍ତବରେ ମିଛ ପଲ୍ଲିସଭା, ଜନ ସଚେତନତାର ଅଭାବ, ପ୍ରଶାସନିକ ଅଧିକାରୀମାନଙ୍କର ମନ୍ଦ ଉଦ୍ଦେଶ୍ୟ ପାଇଁ ତାହା ହୁଏନାହିଁ କି ଲୋକମାନଙ୍କୁ ସାମିଲ କରାଯାଏ ନାହଁି। ପଞ୍ଚାୟତିରାଜ ବ୍ୟବସ୍ଥାରେ ପଲ୍ଲିସଭା ହେଉଛି ରାଜ୍ୟର ବିଧାନସଭା ଭଳିଆ। ସମ୍ବିଧାନରେ ୭୩ତମ ସଂଶୋଧନ ଅନୁସାରେ ପଲ୍ଲିସଭାକୁ ସାମ୍ବିଧାନିକ ସ୍ବୀକୃତି ମିଳିଛି। ସେଠାରେ ହିଁ ଲୋକମାନେ ନିଷ୍ପତ୍ତି ନେଇପାରିବେ ସେମାନଙ୍କର ପଞ୍ଚାୟତକୁ ଆସିଥିବା ଅର୍ଥ କେମିତି ଖର୍ଚ୍ଚ ହେବ। ଯଦି ପଲ୍ଲିସଭାକୁ ପ୍ରଶାସନିକ ଅଧିକାରୀ ବା ନେତାମାନେ ନ ମାନିଲେ ଏହାକୁ ନେଇ ମୋକଦ୍ଦମା ହୋଇପାରିବ। ହେଲେ ପ୍ରାୟ ପଞ୍ଚାୟତରେ ପଲ୍ଲିସଭା କିଛି ମୁଷ୍ଟିମେୟଙ୍କ କବଜାରେ, କେବଳ ଦସ୍ତଖତମରା ବୈଠକ।
ଗାନ୍ଧୀଙ୍କ ହିନ୍ଦ୍‌ ସ୍ବରାଜରେ ଯେଉଁ ମଡେଲର କଥା ଲେଖାଯାଇଛି ସେଥିରେ ଗାଁକୁ କେବଳ ଅର୍ଥନୈତିକ ଦୃଷ୍ଟିରୁ ନୁହେଁ ବରଂ ପ୍ରଶାସନିକ, ସାମାଜିକ, ବିଚାର ଦୃଷ୍ଟିରୁ ମଧ୍ୟ ସୁନ୍ଦର କରିବା ଦିଗରେ ଜୋର ଦିଆଯାଇଛି। ହେଲେ ଆମର ପଞ୍ଚାୟତିରାଜର ବ୍ୟବସ୍ଥାଟି ମଧ୍ୟ ସମ୍ପୂର୍ଣ୍ଣ ଗ୍ରାମ୍ୟ ବ୍ୟବସ୍ଥାଭିତ୍ତିକ ନୁହେଁ। ପୋଲିସ ବ୍ୟବସ୍ଥା, ବିଚାର ବ୍ୟବସ୍ଥା ଏସବୁ ଉପରେ ପଞ୍ଚାୟତିରାଜ ବ୍ୟବସ୍ଥା ନୀରବ। ଅବଶ୍ୟ ଏହା ଟିକିଏ ଗମ୍ଭୀରତାର ବିଷୟ। ଏହା ଉପରେ ଆମେ ଆଉ କେବେ ବିସ୍ତୃତ ଚର୍ଚ୍ଚା କରିପାରିବା। ଦେଶର ୭୦ ଭାଗ ଲୋକେ ସିଧାସଳଖ ଭାବରେ ଗାଁରେ ରୁହନ୍ତି। ସହରରେ ରହୁଥିବା ବାକି ୩୦ ଭାଗରୁ ୨୦ ଭାଗ ଲୋକ ଗାଁ ସହିତ ଯୋଗାଯୋଗରେ ଥାଆନ୍ତି। ତେଣୁ ଦେଶର ମୋଟ ୯୦ ଭାଗ ଲୋକ ଗାଁ ସହିତ ଜଡ଼ିତ କହିଲେ ଭୁଲ୍‌ ହେବ ନାହିଁ। ଆମେ ଯେତେ ବଡ଼ ସହର କରିଲେ ବା ସହରର ବିକାଶକୁ ନେଇ ଯେତେ ଯୋଜନା କରିଲେ ମଧ୍ୟ ଗାଁ ଜୀବନ କିମ୍ବା ଗାଁର ଭାବପ୍ରବଣତା ଦେଶରେ ରହିଛି ଓ ରହିବ ମଧ୍ୟ। ଯଦି ପଞ୍ଚାୟତିରାଜ ବ୍ୟବସ୍ଥାରେ ସୁ୍‌ଧାର ନ ଅଣାଯାଏ, ପଞ୍ଚାୟତ ନିର୍ବାଚନ ନୈତିକତା ଭିତରେ ନ ହୁଏ ତା’ହେଲେ ଏହି ଅନୁଷ୍ଠାନ ପ୍ରତି ଲୋକମାନଙ୍କର ଥିବା ବିଶ୍ୱାସ ଭାଙ୍ଗିଯିବ। ପଞ୍ଚାୟତ ନିର୍ବାଚନରେ ଲଢୁଥିବା ପ୍ରାର୍ଥୀମାନଙ୍କ ଭିତରେ ତ୍ୟାଗ, ନିଷ୍ଠା, ପ୍ରତିବଦ୍ଧତା, ସହନଶୀଳତାର ଅଭାବ ନ ରହିବା ଅନୁଚିତ।
ହରିରାଜପୁର, ପୁରୀ
ମୋ: ୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri