ଓଡ଼ିଆ ପିଲାଙ୍କୁ ଉଦ୍ଧାର ଦାୟିତ୍ୱରେ ପୁରୀର ବୈଶାଳୀ

ପୁରୀ ଅଫିସ,୭।୩; ସମ୍ପ୍ରତି ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଲାଗିରହିଛି। ଏଭଳି ପରିସ୍ଥିତି ମଧ୍ୟରେ ୟୁକ୍ରେନ୍‌ ସମେତ ଏହାର ପଡ଼ୋଶୀ ଦେଶ ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ ଓ ସ୍ଲୋଭାକିଆରେ ଓଡ଼ିଶାର ବହୁ ଛାତ୍ରୀଛାତ୍ର ଫସିରହିଛନ୍ତି। ସେମାନେ ସେଠାରେ ଭୟଭୀତ ଅବସ୍ଥାରେ ଦୟନୀୟ ଭାବେ ଜୀବନ ବିତାଉଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ରେ ପୁରୀ ସହରର ଝିଅ ତଥା ଜାତିସଂଘର ନୀତି ଅଧିକାରୀ (ପଲିସି ଅଫିସର) ବୈଶାଳୀ ମହାନ୍ତି ରହିଛନ୍ତି। ରାଜ୍ୟ ସରକାର ତାଙ୍କୁ ରୋମାନିଆରେ ସ୍ବତନ୍ତ୍ର ଦୂତ ଭାବେ ନିଯୁକ୍ତ କରିଛନ୍ତି। ସେ ସେଠାରୁ ଓଡ଼ିଶାର ପିଲାଙ୍କୁ ଫେରାଇ ଆଣିବା ଲାଗି ସମ୍ପୃକ୍ତ ସରକାରଙ୍କ ସହ ଯୋଗାଯୋଗ କରି ପଦକ୍ଷେପ ନେବେ। ଏ ନେଇ ଗତ ୩ ତାରିଖରେ ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ଇତିମଧ୍ୟରେ ବୈଶାଳୀଙ୍କ ଉଦ୍ୟମ କ୍ରମେ ଓଡ଼ିଶାକୁ ଶତାଧିକ ଛାତ୍ରୀଛାତ୍ର ଫେରିଆସିଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ବୈଶାଳୀ ହେଉଛନ୍ତି ପୁରୀ ବାସିନ୍ଦା ଇଂ. ରାଧା ବିନୋଦ ମହାନ୍ତି ଏବଂ ଜାତୀୟ ମହିଳା କମିଶନର ପୂର୍ବତନ ସଦସ୍ୟା ମାନସୀ ପ୍ରଧାନଙ୍କ ଝିଅ। ବୈଶାଳୀ ପୁରୀ ବ୍ଲେସ୍‌ ସାକ୍ରାମେଣ୍ଟ ସ୍କୁଲରେ ପଢା ଶେଷ କରିଥିଲେ। ପରେ କିଟ୍‌ ଇଣ୍ଟର ନ୍ୟାଶନାଲ୍‌ ସ୍କୁଲ୍‌ରେ ପଢିଥିଲେ। ଏହାପରେ ନୂଆଦିଲ୍ଲୀସ୍ଥିତ ଲେଡି ଶ୍ରୀରାମ କଲେଜ୍‌ରୁ ଗ୍ରାଜୁଏସନ୍‌ ଓ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ସମାପ୍ତ କରିଥିଲେ। ଅକ୍ସଫୋର୍ଡରେ ପଢ଼ିବା ବେଳେ ୨୦୧୬ରେ ସେ ପ୍ରଥମ ଦକ୍ଷିଣ ଏସିଆ ନାଗରିକ ଭାବେ ହାଇପ୍ରୋଫାଇଲ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ ପାଇଥିଲେ। ୨୦୧୭ରେ ସେ ଜାତିସଂଘର ଅନ୍ତର୍ଜାତୀୟ ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ। ସମ୍ପ୍ରତି ସେ ଜାତିସଂଘର ରୋମ୍‌ସ୍ଥିତ ୟୁରୋପୀୟାନ ମୁଖ୍ୟାଳୟରେ ନୀତି ଅଧିକାରୀ ଭାବେ ଅବସ୍ଥାପିତ ଅଛନ୍ତି। ତାଙ୍କର ଅଭିଜ୍ଞତା ଯୋଗୁ ଆନ୍ତର୍ଜାତିକ ସ୍ତରରେ ଯୋଗାଯୋଗ ଓ କୂଟନୈତିକ ସମ୍ପର୍କ ସ୍ଥାପନରେ ସେ ସଫଳ ହେବେ ବୋଲି ରାଜ୍ୟ ସରକାର ଆଶା ପ୍ରକାଶ କରିଛନ୍ତି।