ଆଜିଠୁ ଦାରୁଦିଅଁ ଦର୍ଶନ କରିବେ ପୁରୀ ସହରବାସୀ: ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ ଅଫିସ,୨୬ା୧୨: ପୁରୀ ସହରବାସୀ ଶନିବାରଠାରୁ ଶ୍ରୀମନ୍ଦିରରେ ଦାରୁଦିଅଁ ଦର୍ଶନ କରିବେ। ଏହି ଦର୍ଶନ ବ୍ୟବସ୍ଥା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ବେଳେ ଶୁକ୍ରବାର ପୋଲିସ ପକ୍ଷରୁ ମକ୍‌ଡ୍ରିଲ କରାଯାଇଛି। କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ଏବଂ ପୁରୀ ଏସ୍‌ପି କନୱର ବିଶାଲ ସିଂଙ୍କ ଉପସ୍ଥିତିରେ ଏହି ମକ୍‌ଡ୍ରିଲ୍‌ ହୋଇଛି। ସୂଚନା ଅନୁଯାୟୀ, ଦର୍ଶନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ତଥା ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୧୮ ପ୍ଲାଟୁନ୍‌ ଓ ୩ ସେକ୍ସନ ପୋଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିର ଭିତରେ ୨ଜଣ ଇନ୍ସପେକ୍ଟର, ୮ଜଣ ଏସ୍‌ଆଇ ଏବଂ ଏଏସ୍‌ଆଇ, ୧୪ଜଣ ମହିଳା କନଷ୍ଟେବଳ, ୬ଜଣ ଥାନା କିମ୍ବା ଫାଣ୍ଡି ହାବିଲଦାରଙ୍କ ସମେତ ୩ ପ୍ଲାଟୁନ୍‌ ପୋଲିସ ମୁତୟନ ହେବେ। ଶ୍ରୀମନ୍ଦିରର ୪ ଦ୍ୱାରରେ ୮ଜଣ ଏସ୍‌ଆଇ କିମ୍ବା ଏଏସ୍‌ଆଇ, ୬ ଜଣ ମହିଳା କନଷ୍ଟେବଳ ଓ ୪ ପ୍ଲାଟୁନ୍‌ ସମେତ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯିବ। ଏହାବ୍ୟତୀତ ସିଂହଦ୍ୱାରରେ ଅତିରିକ୍ତ ପୋଲିସ ମୁତୟନ ରହିବେ। ୨ଜଣ ଇନ୍ସପେକ୍ଟର, ୪ଜଣ ଏସ୍‌ଆଇ କିମ୍ବା ଏଏସ୍‌ଆଇ, ୮ଜଣ ମହିଳା କନଷ୍ଟେବଳ, ଗୋଟିଏ ପ୍ଲାଟୁନ୍‌ ଓ ଗୋଟିଏ ସେକ୍ସନ ଫୋର୍ସ ମୁତୟନ ହେବେ। କିଓସ୍କୋ ପାଖ ଜୋତାଷ୍ଟାଣ୍ଡରେ ୨ ଜଣ ଏସ୍‌ଆଇ କିମ୍ବା ଏଏସ୍‌ଆଇ ଓ ୬ ଜଣ ମହିଳା କନଷ୍ଟେବଳ ଦାୟିତ୍ୱରେ ରହିବେ। ବଡ଼ଦାଣ୍ଡ ଦାୟିତ୍ୱରେ ୨ଜଣ ଇନ୍ସପେକ୍ଟର, ୮ ଜଣ ଏସ୍‌ଆଇ କିମ୍ବା ଏଏସ୍‌ଆଇ ଓ ୩ ପ୍ଲାଟୁନ୍‌ ସମେତ ୨ ସେକ୍ସନ ଫୋର୍ସ ରହିବେ। ଦର୍ଶନ ସମୟରେ ପୁରୀ ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା ପାଇଁ ମଧ୍ୟ ଜଣେ ଇନ୍ସପେକ୍ଟର, ୪ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ୨ ପ୍ଲାଟୁନ୍‌ ପୋଲିସ ଓ ୪୦ ଜଣ ହୋମଗାର୍ଡ ଦାୟିତ୍ୱରେ ରହିବେ। ସେହିଭଳି ସମୁଦ୍ରକୂଳ ଦାୟିତ୍ୱରେ ୨ପ୍ଲାଟୁନ୍‌ ପୋଲିସ ମୁତୟନ ହେବେ। ଷ୍ଟ୍ରାଇକିଂ ଫୋର୍ସ ବାବଦକୁ ଜଣେ ଇନ୍ସପେକ୍ଟର, ଜଣେ ଏସ୍‌ଆଇ, ଏଏସ୍‌ଆଇ ଓ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ଦାୟିତ୍ୱରେ ଥିବା ପୋଲିସ ଅଧିକାରୀମାନଙ୍କ କାର୍ଯ୍ୟ ତଦାରଖ କରିବା ପାଇଁ ୨ଜଣ ଅତିରିକ୍ତ ଏସ୍‌ପି ଏବଂ ୬ ଜଣ ଡିଏସ୍‌ପିଙ୍କୁ ନିୟୋଜିତ କରାଯିବ।