୩ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ

ପୁରୀ ଅଫିସ, ୧୩ା୫: ମହାପ୍ରଭୁଙ୍କ ଭଉଁରି ଯାତ୍ରା ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରରେ ତିନି ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରୁ ତିନିଜଣ ପୂଜାପଣ୍ଡା ସାମନ୍ତ ସେବକ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏ ଚକ ସହ ଗୋଟିଏ ଲେଖାଏ ଅଖ ଡେରାଯାଇଥିଲା। ଏହି ନୀତି ସମ୍ପନ୍ନ ହେବା ସହ ରଥଯାତ୍ରାର ଆଉ ଏକ ପର୍ଯ୍ୟାୟ ଆରମ୍ଭ ହୋଇଛି।
ଶ୍ରୀମନ୍ଦିର ସ୍ବତ୍ତ୍ୱଲିପି ଏବଂ ରଥ ସଂହିତା ଅନୁଯାୟୀ, ଭଉଁରୀ ଯାତ୍ରା ଦିନ ତିନି ରଥର ଚକ-ଅଖ ଡେରା କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ। ଏହି କ୍ରମରେ ଶୁକ୍ରବାର ଭୋରରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ହୋଇ ଭିତର ଶୋଧ ଓ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢି ସକାଳ ଧୂପ ଶେଷହୋଇ ପାଣି ପଡ଼ିଥିଲା। ତିନିଜଣ ପାଳିଆ ପୂଜାପଣ୍ଡା ସାମନ୍ତ ରତ୍ନସିଂହାସନ ଉପରକୁ ଯାଇ ତିନିବାଡ଼ରୁ ତିନୋଟି ଆଜ୍ଞାମାଳ ଆଣିଥିଲେ। ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ଘଣ୍ଟ, ଛତା, କାହାଳୀ ପଟୁଆରରେ ରଥଖଳା ଅଭିମୁଖେ ଯାତ୍ରା କରିଥିଲେ। ପ୍ରଥମେ ତିନିବାଡ଼ର ପୂଜାପଣ୍ଡା ସାମନ୍ତ ଶ୍ରୀନଅରକୁ ଯାଇଥିଲେ। ପୂର୍ବରୁ ରଥଖଳା ନିକଟରୁ ୬ଟି ଚକକୁ ଭୋଇ ସେବକମାନେ ଆଣି ତିନିରଥର ଗୋଟିଏ ଲେଖାଏ ଅଖ ନିକଟରେ ରଖିଥିଲେ। ପାଣିଆ ଆପଟ ସେବକମାନେ ଚକ ଓ ଅଖଗୁଡ଼ିକୁ ଧୋଇଥିଲେ। କମାର ସେବକମାନେ ଚକ ପନ୍ଦାରୀଗୁଡ଼ିକରେ ଯୋଖିଆ କଣ୍ଟା ବାଡ଼େଇଥିଲେ। ରଥଖଳାରେ ଆଜ୍ଞାମାଳ ପହଞ୍ଚତ୍ବା ପରେ ଭୋଇସେବକମାନେ ଚକରେ ଅଖ ସଂଯୋଗ କରିଥିଲେ। ପରମ୍ପରା ଅନୁଯାୟୀ, ପ୍ରଥମେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଚକ-ଅଖ ସଯୋଂଗ କରାଯାଇଥିଲା। ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ମା’ ସୁଭଦ୍ରାଙ୍କ ଦେବଦଳନ ରଥର ଚକ- ଅଖ ସଂଯୋଗ କରାଯାଇଥିଲା। ଭୋଇସେବକମାନେ ପ୍ରଥମ ହରିବୋଲ ପକାଇଥିଲେ। ପରେ ରାଜନଅରଠାରେ ଆଜ୍ଞାମାଳ ଧରିଥିବା ପୂଜାପଣ୍ଡା ସାମନ୍ତ ଘଣ୍ଟ, ଛତା, କାହାଳୀ ସହ ଚକଡେରା ସ୍ଥାନକୁ ଆସିଥିଲେ। ସେ ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଏବଂ ଶେଷରେ ଦେବଦଳନ ରଥରେ ସଂଯୋଗ ହୋଇଥିବା ଚକ ଓ ଅଖରେ ଆଜ୍ଞାମାଳ ପ୍ରଦାନ କରିଥିଲେ। ପରେ ସେ ତିନି ରଥର ମୁଖ୍ୟ ବିଶ୍ୱକର୍ମାଙ୍କୁ ଆଜ୍ଞାମାଳ ପ୍ରଦାନ କରିଥିଲେ। ଏହି ନୀତି ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଉନ୍ନୟନ ପ୍ରଶାସକ ଅଜୟ ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଜିଲା ଆରକ୍ଷୀ ଅଧୀକ୍ଷକ କନଓ୍ବର ବିଶାଲ ସିଂହଙ୍କ ସମେତ ବରିଷ୍ଠ ଅଧିକାରୀ ଏବଂ ସେବାୟତମାନେ ଉପସ୍ଥିତ ଥିଲେ। ରଥଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବା ନେଇ ସମସ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ମହାପ୍ରଭୁଙ୍କ କରୁଣାରୁ ଚକ-ଅଖ ଡେରା ନୀତି ଭଲରେ ସରିଥିବାବେଳେ ରଥଯାତ୍ରା ମଧ୍ୟ ଶୃଙ୍ଖଳିତ ଭାବେ ଓ ନିର୍ବିଘ୍ନରେ ଶେଷ ହେବ ବୋଲି ସେବାୟତ ଏବଂ ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି।