ରାଲିରେ ଅପରାଜିତାଙ୍କୁ ସହଯୋଗ କରିବୁ ନାହିଁ: ପୁରୀ ବିଧାୟକ

ପୁରୀ ଅଫିସ,୨୬।୪: ଗୋଟିଏ ପଟେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପୁରୀ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରୁଥିବା ବେଳେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏହାକୁ ସମର୍ଥନ କରିଛନ୍ତି। ଏପରିକି ସେ ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ନେତୃତ୍ୱରେ ହେବାକୁ ଥିବା ପଦଯାତ୍ରାକୁ ବିରୋଧ ମଧ୍ୟ କରିଛନ୍ତି।

ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ ଓ ଶହେ ମିଟର ପରିଧି ମଧ୍ୟରେ ବ୍ୟାପକ ଖନନକୁ ବିରୋଧ କରି ବୁଧବାର ଅପରାଜିତା ପୁରୀ ବଡ଼ଦାଣ୍ଡରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ନେତୃତ୍ୱରେ ହେବାକୁ ଥିବା ପଦଯାତ୍ରାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ଅପରାଜିତାଙ୍କୁ ଦଳୀୟ ନେତା ଭାବେ ପୁରୀରେ ସ୍ବାଗତ କରାଯିବ, ମାତ୍ର ରାଲି କିମ୍ବା ପଦଯାତ୍ରାରେ ସହଯୋଗ କରାଯିବ ନାହିଁ ବୋଲି ଜୟନ୍ତ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ପଦଯାତ୍ରାରେ ପୁରୀର ଅନେକ ଭାଜପା କର୍ମୀ ଓ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଏବେ ପୁରୀ ବିଧାୟକ ସିଧାସଳଖ ଭାବେ ପଦଯାତ୍ରାକୁ ବିରୋଧ କରିବା ପରେ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।