ଐତିହ୍ୟ କରିଡରକୁ ପୁରୀ ବିଧାୟକଙ୍କ ସମର୍ଥନ

ପୁରୀ ଅଫିସ,୨୭।୪: ଐତିହ୍ୟ କରିଡର ପ୍ରକଳ୍ପକୁ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ସମର୍ଥନ କରିଥିବାବେଳେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ପଦଯାତ୍ରାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ନେତା, ମନ୍ତ୍ରୀ କିମ୍ବା ସାଧାରଣ ଲୋକ ଯେକେହି ବି ଆସନ୍ତୁ, ଶ୍ରୀମନ୍ଦିରକୁ ଭକ୍ତ ଭାବେ ଆସନ୍ତୁ। ମାତ୍ର ପୁରୀକୁ ସମସ୍ୟା କରିବା ଉଦ୍ଦେଶ୍ୟରେ ନ ଆସିବା ଭଲ। ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟକୁ ମୁଁ ସମର୍ଥନ କରୁଛି। ଏଥିପାଇଁ କିଛି ଭଙ୍ଗାଯାଇଛି ଅର୍ଥାତ୍‌ ତାହା ପୁଣି ଗଢ଼ାଯିବ। ଭଗ୍ନାବସ୍ଥାରେ ରଖାଯିବ ନାହିଁ। ନିର୍ମାଣ କାର୍ଯ୍ୟକୁ ବିରୋଧ କରା ନ ଯିବା ଦରକାର। ପ୍ରକଳ୍ପ କାର୍ଯ୍ୟ ନେଇ ନିୟମକାନୁନ୍‌ରେ କୌଣସି ସମସ୍ୟା ଥିଲେ ଏହାର ସମାଧାନ ପାଇଁ ମିଳିତ ଉଦ୍ୟମ ଆବଶ୍ୟକ। ଶ୍ରୀମନ୍ଦିର ଚାରିପାଖରେ ଆମେ ପ୍ରାୟ ୧ ଲକ୍ଷ ଲୋକ ରହୁଛୁ। ମନ୍ଦିରକୁ ନେଇ ଆମ ପରିବାର ଚଳେ। ଏଣୁ ଏହାକୁ ନେଇ ରାଜନୀତି କରିବା ଉଚିତ୍‌ ନୁହେଁ। ଐତିହ୍ୟ କରିଡର ପ୍ରକଳ୍ପକୁ ପରିଚାଳନା କମିଟି, ଛତିଶା ନିଯୋଗ, ଗଜପତି ମହାରାଜା ସମର୍ଥନ କରିସାରିଲେଣି। ତେଣୁ ଏହି ପ୍ରସଙ୍ଗରେ କିଛି ଅଧିକ କହିବାର ଆବଶ୍ୟକତା ନାହିଁ। ଏଣୁ ରାଜନୀତି କିମ୍ବା ନାରାବାଜି କରିବା ଠିକ୍‌ ନୁହେଁ। ସହଯୋଗ କରି ମହାପ୍ରଭୁଙ୍କ କାର୍ଯ୍ୟ ଶେଷ କରାଯାଉ। ପୁରୀ ବିଧାୟକ ଭାବେ ମୋର ଅନୁରୋଧ ରହିବ, ପ୍ରକଳ୍ପକୁ ନେଇ ରାଜନୀତି ନ ହେଉ। ସହଯୋଗିତାରେ କାର୍ଯ୍ୟ ଆଗକୁ ବଢ଼ୁ। ତ୍ରୁଟି ଉପରେ ଆଲୋଚନା କରାଯାଇ ସମାଧାନର ରାସ୍ତା ଖୋଜାଯାଉ। ସେହିଭଳି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳୀୟ ନେତା ଭାବେ ପୁରୀରେ ସ୍ବାଗତ କରାଯିବ, ମାତ୍ର ରାଲି କିମ୍ବା ପଦଯାତ୍ରାରେ ସହଯୋଗ କରାଯିବ ନାହିଁ ବୋଲି ଜୟନ୍ତ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ପଦଯାତ୍ରାରେ ପୁରୀର ଅନେକ ଭାଜପା କର୍ମୀ ଓ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଏବେ ପୁରୀ ବିଧାୟକ ସିଧାସଳଖ ଭାବେ ପଦଯାତ୍ରାକୁ ବିରୋଧ କରିବା ପରେ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପଦଯାତ୍ରା ପାଇଁ ବ୍ୟକ୍ତିଗତ ସ୍ତରରେ ନିଷ୍ପତ୍ତି ନେବାକୁ ବିଧାୟକ ଅନେକ ନେତା ଓ କର୍ମୀଙ୍କୁ ପୂର୍ବରୁ ଅପିଲ୍‌ କରିଥିଲେ। ତେବେ ଏବେ ଅପରାଜିତାଙ୍କ ପ୍ରତି ଜୟନ୍ତଙ୍କ ଏଭଳି ଆଭିମୁଖ୍ୟକୁ ପୁରୀ ଭାଜପାର ଅପରାଜିତାଙ୍କ ଗୋଷ୍ଠୀ ନାପସନ୍ଦ କରୁଛି।