କୋରାପୁଟ, ୭।୭ (ଅମିତାଭ ବେହେରା): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ସକାଳେ ପୁରୀ-କୋରାପୁଟ ସ୍ବତନ୍ତ୍ର ଟ୍ରେନ୍ କୋରାପୁଟ ରେଳ ଷ୍ଟେଶନରେ ପହଞ୍ଚିଛି। ସକାଳ ୮ଟା ୧୫ ମିନିଟ୍ରେ ଟ୍ରେନ୍ଟି କୋରାପୁଟ ଷ୍ଟେଶନରେ ପହଞ୍ଚିବା ପରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ କୋରାପୁଟ ବିଧାୟକ ରଘୁରାମ ମାଛ, ଜିଲା ଭାଜପା ସଭାପତି ଶିବ ମୁଦୁଲିଙ୍କ ସମେତ ଶତାଧିକ ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଟ୍ରେନ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ। ପରେ ସକାଳ ୯ଟା ୩୦ ମିନିଟ୍ରେ ଟ୍ରେନ୍ ପୁରୀ ଅଭିମୁଖେ ଯାତ୍ରା କରିଛି। ଏହି ଅବସରରେ ଷ୍ଟେଶନ ପରିସରରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା। ବିଧାୟକ ରଘୁରାମ ମାଛ କହିଥିଲେ ଯେ, ଦୀର୍ଘ ଦିନ ଧରି ଅଞ୍ଚଳବାସୀ ପୁରୀ-କୋରାପୁଟ ସିଧାସଳଖ ରେଳ ସେବା ଦାବି କରି ଆସୁଥିଲେ। ଏହି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ ହେବା ଫଳରେ ସାଧାରଣ ଯାତ୍ରୀଙ୍କ ସହ ଧାର୍ମିକ, ଶିକ୍ଷା ଓ ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ବେଶ ଉପକାର ମିଳିବ। ଏହା ଦକ୍ଷିଣ ଓଡ଼ିଶାର ଲୋକଙ୍କ ପାଇଁ ଏକ ଐତିହାସିକ ସଫଳତା ବୋଲି ସେ ମତ ପ୍ରକାଶ କରିଥିଲେ।