ବର୍ଦ୍ଧମାନ ରାଜକୁମାରଙ୍କ ହାତ ଧରିଲେ ପୁରୀ ରାଜକୁମାରୀ

ଭୁବନେଶ୍ୱର(ବ୍ୟୁରୋ)/ ପୁରୀ ଅଫିସ, ୧୦।୨: ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ କନିଷ୍ଠା କନ୍ୟା ଦେବେଶୀ ଦେବୀଙ୍କ ବୁଧବାର ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲରେ ରାଜକୀୟ ପରମ୍ପରାରେ ବିବାହ ଅନୁଷ୍ଠିତ ହୋଇଯାଇଛି। ହରିୟାଣା ଗୁରୁଗ୍ରାମର ରାଜୀବ କେହେରଙ୍କ ପୁଅ ତଥା ବର୍ଦ୍ଧମାନ ରାଜକୁମାର ଆଦିତ୍ୟ କେହେରଙ୍କୁ ଜୀବନସାଥୀ ଭାବେ ଦେବେଶୀ ଗ୍ରହଣ କରିଛନ୍ତି। ଯୋଡ଼ି ଶଙ୍ଖ, ମହୁରୀ, ପୁରୀ ନାଗା, ମେଢ, ସିଂହବାଦ୍ୟର ତାଳେ ତାଳେ ରୋଶଣି କରି ବର ବେଶରେ ଆସିଥିଲେ ରାଜକୁମାର ଆଦିତ୍ୟ। ରାଜକୀୟ ପରମ୍ପରାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କୋଭିଡ୍‌ କଟକଣା ପାଇଁ ବିଶେଷ ଧୁମ୍‌ଧାମରେ ବିବାହ ହୋଇ ପାରି ନ ଥିଲା। ତେଣୁ ସ୍ବଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ଉକ୍ତ ବିବାହରେ ଦେଶର ବିଭିନ୍ନ ରାଜ୍ୟର ରାଜପରିବାରର ସଦସ୍ୟ ସାମିଲ ହୋଇଥିଲେ। ବିବାହ ପୂର୍ବରୁ ଶ୍ରୀନଅରରେ ପାଟ ମୁଦି, ତିଳକ, ମଙ୍ଗଳକୃତ୍ୟ ଆଦି ରୀତି ସମ୍ପନ୍ନ ହୋଇଥିଲା। ଗଜପତି ମହାରାଜା ଭୁବନେଶ୍ୱରର ତାରକା ହୋଟେଲରେ ବିବାହ ଭୋଜି ଆୟୋଜନ କରିଥିଲେ। ହୋଟେଲରେ ଅତିଥି ଏବଂ ବରପକ୍ଷଙ୍କ ପାଇଁ ପ୍ରାୟ ଶହେ ପ୍ରକାର ଓଡ଼ିଆ ପାରମ୍ପରିକ ଖାଦ୍ୟ ସହ ଚାଇନିଜ୍‌, କଣ୍ଟିନେଣ୍ଟାଲ ଖାଦ୍ୟ ପରଷା ଯାଇଥିଲା। ସେହିପରି ଶ୍ରୀନଅରରେ ମଧ୍ୟ ମହାପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ରାଜନଅରରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଧିକାରୀ, ମନ୍ଦିର ପରିଚାଳନା କମିଟି, ବରିଷ୍ଠ ସେବାୟତ ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଥିଲା। ସୂଚନାଯୋଗ୍ୟ, ବର୍ଦ୍ଧମାନ ରାଜ ପରିବାର ସହ ବିଭିନ୍ନ ରାଜ୍ୟର ରାଜ ପରିବାର ସଦସ୍ୟମାନେ ମଙ୍ଗଳବାର ପୁରୀରେ ପହଞ୍ଚତ୍ଥିଲେ। ସନ୍ଧ୍ୟାରେ କୋଭିଡ କଟକଣା ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ନୀଳଗିରି ରାଜ ପରିବାର ସଦସ୍ୟ ଜୋତ୍ସ୍ନୋ ଦେବୀ ମର୍ଦ୍ଦରାଜ ଯୋଗ ଦେଇଛନ୍ତି। ସହରରେ ରାଜାଘର ବିବାହ ଶୋଭାଯାତ୍ରା ଦେଖିବା ପାଇଁ ପ୍ରବଳ ଗହଳି ହୋଇଥିଲା।