ପୁରୀ,୨୪ା୭: ଆଜି ପବିତ୍ର ବାହୁଡ଼ାଯାତ୍ରା। ଜନ୍ମବେଦିରେ ଲୀଳାଖେଳା ସାରି ଶ୍ରୀମନ୍ଦିର ମୁହାଁ ହୋଇଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିର ଅଭିମୁଖେ ଗଡୁଛି ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ।
ବଡ଼ଭାଇ, ଭଉଣୀଙ୍କ ପଛେ ପଛେ ଯାଉଛନ୍ତି କାଳିଆ ସାଆନ୍ତେ। ଭକ୍ତିମୟ ପରିବେଶରେ ଶ୍ରଦ୍ଧାଳୁ ଟାଣି ନେଉଛନ୍ତି ରଥ। ଘଣ୍ଟଘଣ୍ଟା, ଶଙ୍ଖ ଓ ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର। ଶରଧାବାଲିରୁ ବଡ଼ ଡାକୁରଙ୍କ ତାଳଧ୍ବଜ ରଥ ଗଡ଼ିବା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ମଧ୍ୟ ପଛେପଛେ ଅଗ୍ରସର ହୋଇଥିଲା। ପରେ ଗଡ଼ିଥିଲା ମହାପ୍ରଭୁ କାଳିଆ ସାଆନ୍ତେ ନନ୍ଦିଘୋଷ।
ଅପରାହ ୪ଟା ୩୦ରେ ବଡ଼ଠାକୁରଙ୍କ ତାଳଧ୍ବଜକୁ ଭକ୍ତମାନେ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ। ରଥ ଉପରେ ଗଜପତି ମହାରାଜା ଛେରାପହଁରା ନୀତି ଅପରାହ୍ନ ୩ଟା ୩୦ରେ ଆରମ୍ଭ କରିଥିଲେ। ତିନି ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ ଭକ୍ତମାନେ ହରିବୋଲ ସହିତ ଘଣ୍ଟ ବଜାଇ ତାଳଧ୍ବଜକୁ ଶ୍ରୀମନ୍ଦିର ଅଭିମୁଖେ ଟାଣିଥିଲେ।