ପୁରୀ, ଯାଜପୁରରେ ହେବ ମେଡିକାଲ କଲେଜ

ଭୁବନେଶ୍ୱର,୧୪।୧୨(ବ୍ୟୁରୋ)- ରାଜ୍ୟରେ ଡାକ୍ତର ଅଭାବ ପୂରଣ କରିବା, ମେଡିକାଲ ଶିକ୍ଷାର ପ୍ରସାର ଏବଂ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ଟର୍ନ କି ମାଧ୍ୟମରେ ଯାଜପୁର ଓ ପୁରୀଠାରେ ଦୁଇଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୬୫୧.୦୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଯାଜପୁରରେ ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ହେବାକୁ ଥିବା ବେଳେ ପୁରୀ ଜିଲା ସରକାରୀ ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ। ଉଭୟ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ଶେଷ ହେବ। ଉଭୟ ହସ୍ପିଟାଲର ଟେଣ୍ଡରକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ କରାଯାଇଛି।
ଯାଜପୁରଠାରେ ୧୦୦ ସିଟ୍‌ ବିଶିଷ୍ଟ ଏକ ମେଡିକାଲ କଲେଜ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ହସ୍ପିଟାଲର ନିର୍ମାଣ ପାଇଁ ୪୨୬ କୋଟି ୫୧ ଲକ୍ଷ ୩୧ ହଜାର ଟଙ୍କା ଆକଳନ କରାଯାଇଛି। ସେହିପରି ପୁରୀଠାରେ ଥିବା ସରକାରୀ ମେଡିକାଲ ହସ୍ପିଟାଲକୁ ୬୫୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜରେ ପରିଣତ ନିମନ୍ତେ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୨୪ କୋଟି ୫୫ ଲକ୍ଷ ୬୯ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିପାଇଁ ଡକାଯାଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ୩୬ ମାସରେ ଶେଷ ହେବ।