Categories: ଖେଳ

ଟକ୍କର ଦେଇ ହାରିଲା ହାଇଦ୍ରାବାଦ୍‌

ଶାରଜା,୨୫।୯: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୭ତମ ମ୍ୟାଚ୍‌ରେ ଶନିବାର ଲୋକେଶ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସ ୫ ରନରେ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ ୨୦ ଓଭରରେ ୭ ଉଇକେଟ ହରାଇ ୧୨୫ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ ୭ ଉଇକେଟ ହରାଇ ୧୨୦ ରନରେ ସୀମିତ ରହିଥିଲା।
ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ତରଫରୁ ଅଧିନାୟକ ଲୋକେଶ ରାହୁଲ ୨୧ ଓ ମୟଙ୍କ ଅଗ୍ରଓ୍ବାଲ ୫ ରନ କରି ଜାସନ ହୋଲ୍ଡରଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅଭିଜ୍ଞ କ୍ରିସ୍‌ ଗେଲ୍‌ ୧୪ ରନ କରି ଆଉଟ ହୋଇଥିବା ବେଳେ ଦଳ ତରଫରୁ ଏଡେନ ମାରକ୍ରାମ ସର୍ବାଧିକ ୨୭ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ ପୁରନ ୮, ଦୀପକ ହୁଦା ୧୩, ନାଥନ ଏଲିସ୍‌ ୧୨ ରନକରି ଆଉଟ ହୋଇଥିବା ବେଳେ ହରପ୍ରୀତ ବ୍ରାର ୧୮ ରନକରି ଅପରାଜିତ ରହିଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ଜାସନ ହୋଲ୍ଡର ସର୍ବାଧିକ ୩, ସନ୍ଦୀପ ଶର୍ମା, ଭୁବନେଶ୍ୱର କୁମାର, ରସିଦ ଖାଁ ଓ ଅବଦୁଲ ସମାଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଅପରପକ୍ଷରେ ହାଇଦ୍ରାବାଦ ତରଫରୁ ଜାସନ ହୋଲ୍ଡର ୨୯ ବଲରୁ ୫ ଛକା ସହ ୪୭ ରନ କରି ଅପରାଜିତ ରହିଥିଲେ ମଧ୍ୟ ଦଳକୁ ଜିତାଇପାରି ନ ଥିଲେ। ରିଦ୍ଧିମାନ ଶାହା ୩୧ ରନ କରିଥିବା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ପଞ୍ଜାବ ତରଫରୁ ବୋଲିଂରେ ରବି ବିଷ୍ନୋଇ ୩, ମହମ୍ମଦ ସାମି ୨, ଅର୍ଶଦୀପ ସିଂ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

Share