ଟସ୍‌ ଜିତିବା ପରେ ବି ବଦଳିଲା ନାହିଁ ସିଏସ୍‌କେ ଭାଗ୍ୟ

ମୁମ୍ବାଇ,୩।୪: ଚଳିତ ଆଇପିଏଲ୍‌ରେ ଲଗାତାର ତୃତୀୟ ପରାଜୟ ବରଣ କରିଛି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ଇଣ୍ଡିଆନ ପ୍ରମିୟର ଲିଗ୍‌ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଘଟିଛି। ପୂର୍ବ ଦୁଇ ମ୍ୟାଚ୍‌ ଭଳି ଏଥର ଟସ୍‌ ଦଳ ବିପକ୍ଷରେ ନୁହେଁ ସପକ୍ଷରେ ଯାଇଥିଲା। କିନ୍ତୁ ଦଳର ବ୍ୟାଟିଂ ଅର୍ଡର ଫେଲ ମାରିବାରୁ ସିଏସ୍‌କେକୁ ୫୪ ରନ୍‌ରେ ହରାଇ ଦେଇଛି ପଞ୍ଜାବ କିଙ୍ଗ୍ସ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରୁଥିବା ପଞ୍ଜାବ ଆରମ୍ଭରୁ ପ୍ରଥମ ଦୁଇ ଓଭରରେ ମୟଙ୍କ ଅଗ୍ରଓ୍ବାଲ (୪) ଏବଂ ଭାନୁକା ରାଜପକ୍ଷେ (୯)ଙ୍କ ଉଇକେଟ ହରାଇଥିଲା। ତା’ ପରେ ଲିଆମ ଲିଭିଂଷ୍ଟୋନ ୩୨ ବଲରେ ୬୦ ରନ (୫ ଲେଖାଏ ଚୌକା ଓ ଛକା) କରିବା ସହ ଶିଖର ଧାଓ୍ବନ (୩୩)ଙ୍କ ସହ ମିଶି ତୃତୀୟ ଉଇକେଟ ପାଇଁ ଯୋଡ଼ିଥିଲେ ୮୫ ରନ୍‌। ଏହି ଦୁଇ ବ୍ୟାଟର ଆଉଟ୍‌ ହେବା ପରେ ବି ବାଉଣ୍ଡ୍ରି ଭାର ସମ୍ଭାଳିଥିଲେ ଜୀତେଶ ଶର୍ମା(୨୬ ରନ୍‌, ୩ ଛକା)। ସେ ଆଉଟ୍‌ ହେଲା ବେଳକୁ ପଞ୍ଜାବ ୧୫ ଓଭରରେ ୫ ଉଇକେଟ ହରାଇ ୧୪୭ କରିଥିଲା। କିନ୍ତୁ ଅନ୍ତିମ ୫ ଓଭରରେ ସିଏସ୍‌କେ ବୋଲରମାନେ ଲଗାତାର ଉଇକେଟ ନେବାରୁ ୧୮୦/୮ରେ ଅଟକି ଯାଇଥିଲା ପଞ୍ଜାବ।

ଜବାବରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ଚେନ୍ନାଇ। କେବଳ ଶିବମ ଦୁବେ(୫୭ ରନ୍‌, ୬ ଚୌକା ଓ ୩ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି କ୍ରିଜ୍‌ରେ ଛିଡ଼ା ହୋଇପାରି ନ ଥିଲେ। ଫଳରେ ସିଏସ୍‌କେ ୧୮ ଓଭରରେ ୧୨୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ୨୦୧୮ ପରେ କେବଳ ଦ୍ୱିତୀୟ ଥର ଲାଗି ଚେନ୍ନାଇ ଅଲଆଉଟ୍‌ ହୋଇଛି। ବିଜୟୀ ଦଳ ପାଇଁ ରାହୁଲ ଚହର ୩ ଉଇକେଟ ନେଇଥିଲେ।

Share