ପୁଣେ-ଗୁଆହାଟି ବିମାନର ଜରୁରୀ ଅବତରଣ, ସାମ୍ନାକୁ ଆସିଲା ଏହି ବଡ଼ କାରଣ

ପୁଣେ,୧୫ା୧୧: ପୁଣେରୁ ଗୁଆହାଟି ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନ 6E 0623 ରବିବାର ସକାଳେ ପୁଣେ ବିମାନବନ୍ଦରରେ ଜରୁରୀକାଳିନ ଅବତରଣ କରିଥିଲା। ବିମାନଟି ୧୯୨ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ଉଡ଼ାଣ ଭରିବା ପରେ ବିମାନର ଲ୍ୟାଣ୍ଡିଂ ଗିଅର ପଛକୁ ଫେରିପାରିଲା ନାହିଁ। ତେବେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ଘଟଣା ବିଷୟରେ ସୂଚନା ପାଇବା ପରେ, ପୁଣେ ବିମାନବନ୍ଦର କର୍ତ୍ତୃପକ୍ଷ ଇଣ୍ଡିଗୋ ATC ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ସଂସ୍ଥା ସହିତ ଯୋଗାଯୋଗ ସ୍ଥାପନ କରିଥିଲେ। ଭାରତୀୟ ବାୟୁସେନା ସମ୍ପୂର୍ଣ୍ଣ ଜରୁରୀକାଳିନ ଘୋଷଣା କରିଥିଲା, ଯାହା ପରେ ଜରୁରୀକାଳିନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଅଗ୍ନିଶମ ସେବା, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳିନ ଦଳଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଥିଲା।

ଲ୍ୟାଣ୍ଡିଂ ଗିଅରର ଅବସ୍ଥା ମୂଲ୍ୟାଙ୍କନ କରିବା ପାଇଁ ବିମାନକୁ ରନଓ୍ବେ ଉପରେ କମ୍‌ ଉଚ୍ଚତାରେ ଉଡ଼ାଯାଇଥିଲା। ପରବର୍ତ୍ତୀ ସମୟରେ, ସକାଳ ୯.୦୪ରେ ବିମାନଟି ପୁଣେ ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା। ଏରୋବ୍ରିଜ ନିୟୋଜିତ କରାଯାଇଥିଲା ଏବଂ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ବିମାନରେ ଥିବା ସମସ୍ତ ୧୯୨ ଜଣ ଯାତ୍ରୀଙ୍କୁ ଗୁଆହାଟି ଯାତ୍ରା ଜାରି ରଖିବା ପାଇଁ ଇଣ୍ଡିଗୋ ବେଙ୍ଗାଲୁରୁରୁ ପୁଣେକୁ ଏକବିମାନ ବ୍ୟବସ୍ଥା କରୁଛି।

ପୁଣେ ବିମାନବନ୍ଦର ପ୍ରଶାସନ କହିଛି, ସମଗ୍ର କାର୍ଯ୍ୟ ଭାରତୀୟ ବାୟୁସେନା, ଏଟିସି, ଇଣ୍ଡିଗୋ ଏବଂ ଅନ୍ୟାନ୍ୟ ଜରୁରୀକାଳିନ ସଂସ୍ଥା ସହିତ ସମନ୍ବୟ କରାଯାଇଥିଲା, ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିଲା। ଇଣ୍ଡିଗୋ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ବିବୃତ୍ତି ଜାରି କରିନାହିଁ। ଅବତରଣ ପରେ, ତିନୋଟି ଅଗ୍ନି ନିର୍ବାପକ ଯାନ ଏବଂ ଦୁଇଟି ଆମ୍ବୁଲାନ୍ସ ସାହାଯ୍ୟରେ ବିମାନକୁ ଓ୍ବେ ନମ୍ବର ୭କୁ ନିଆଯାଇଥିଲା। ବିମାନର ସୁରକ୍ଷା ନିଶ୍ଚିତ କରିବା ପରେ ସକାଳ ୯.୧୦ରେ ସମ୍ପୂର୍ଣ୍ଣ ଜରୁରୀକାଳିନ ପରିସ୍ଥିତିକୁ ପ୍ରତ୍ୟାହାର କରିଥିଲା।

Dharitri – Odisha’s No.1 Odia Daily

Share