ଜମ୍ମୁ,୫ ।୮: ଜମ୍ମୁ-କଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଏକ ଆକ୍ରମଣ ଯୋଜନା ସଫଳ ହୋଇଛି । ଜମ୍ମୁ-କଶ୍ମୀରରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବାର ବର୍ଷ ପୂର୍ତ୍ତି ପୂରଣର ଠିକ୍ ପୂର୍ବରୁ ଆତଙ୍କବଦୀଙ୍କ ଦ୍ୱାରା ଏହି ଆକ୍ରମଣ କରାଯାଇଛି । ଏଥିରେ ସେମାନେ ଶ୍ରମିକଙ୍କ ଉପରେ ଆକ୍ରମଣ କରିଛନ୍ତି । ଆତଙ୍କବାଦୀମାନେ ପୁଲୱାମାର ଗଦୁରା ଅଞ୍ଚଳରେ ଶ୍ରମିକଙ୍କ ଉପରକୁ ଗ୍ରେନେଡ ମାଡ କରିଥିଲେ । ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାଉ କରି ରଖାଯାଇଛି ।
ଏବେ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ମୃତ ଶ୍ରମିକ ଜଣଙ୍କ ବିହାର ବାସିନ୍ଦା ଓ ସେ ମୁସଲମାନ । ଆହତଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ଅର୍ଥାତ୍ ୫ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବାକୁ ୪ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ଗୁରୁବାର ରାତିରେ ଆତଙ୍କବାଦୀମାନେ ଏଭଳି କାଣ୍ଡ ଘଟାଇଛନ୍ତି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ୨୦୧୯ ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରକୁ ବିଶେଷ ରାଜ୍ୟର ଅଧିକାର ଦେଉଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଇ ଦେଇଥିଲେ ।