ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ,୨୯ା୭(ଅଜିତ୍‌ କୁମାର ମହାନ୍ତି): ଆଷାଢ଼ ଶୁକ୍ଳ (ବ୍ୟାସ ପୂର୍ଣ୍ଣିମା) ତିଥି ବୁଧବାର ଶ୍ରୀବିଗ୍ରହଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ମହାପ୍ରଭୁଙ୍କ ଏହି ଗୁପ୍ତ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତ ମହାପାତ୍ର ସେବକମାନେ ଏହି ଗୁପ୍ତ ବନକ ଲାଗି ନୀତିକୁ ସମ୍ପାଦନ କରିଥାନ୍ତି। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ସମ୍ପନ୍ନ ହୋଇ ପାଣି ପଡ଼ିବା ପରେ ଏହି ନୀତି ଅନୁଷ୍ଠିତ ହୁଏ। ଦତ୍ତମହାପାତ୍ର ସେବକମାନେ ରତ୍ନସିଂହାସନ ଉପରକୁ ଉଠି ଠାକୁରଙ୍କ ଶ୍ରୀମୁଖ ଶୃଙ୍ଗାର କରିଥାନ୍ତି। ଏହା ଗୁପ୍ତନୀତି ହୋଇଥିବାରୁ ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକମାନେ ନୀତି ଶେଷ କରି ଶ୍ରୀମନ୍ଦିରରୁ ବାହାରିବା ପରେ ଶ୍ରୀବିଗ୍ରହଙ୍କର ମହାସ୍ନାନ ନୀତି ସମ୍ପନ୍ନ କରାଯିବ। ପରେ ଅନ୍ୟାନ୍ୟ ନୀତି ବଢ଼ିବା ସହ ଦର୍ଶନ ପୁନର୍ବାର ଆରମ୍ଭ ହେବ।

Odisha’s No.1 Odia Daily

Share