ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ

ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲକ୍ଷ୍ୟ ପୂରଣ ସହଜ ହୋଇପାରିବ। ଏସବୁ ସମ୍ପତ୍ତି ବିକ୍ରି କରି ସରକାର ୫ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବେ। ନୀତି ଆୟୋଗ ପକ୍ଷରୁ ଘରୋଇ କରଣ କରିହେଉଥିବା ୧୦୦ଟି ସରକାରୀ ସମ୍ପତ୍ତିର ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି। କରୋନା ମହାମାରୀ ଯୋଗୁ ଦେଶର ଅର୍ଥବ୍ୟବସ୍ଥା ପଛୁଆ ରହିଛି। ଆବଶ୍ୟକ ରାଜସ୍ବ ସଂଗ୍ରହ ଲକ୍ଷ୍ୟ ପୂରଣ କରି ହେଉନାହିଁ। ଏପରିସ୍ଥଳେ ସରକାର ୫ ଟ୍ରିଲିୟନ୍‌ ଅର୍ଥବ୍ୟବସ୍ଥା ଲକ୍ଷ୍ୟ ପୂରଣ ପାଇଁ ଘରୋଇ କରଣ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିଭିନ୍ନ ମନ୍ତ୍ରଣାଳୟକୁ ଘରୋଇ କରଣ କରିହେଉଥିବା ସରକାରୀ ସମ୍ପତ୍ତିର ରିପୋର୍ଟ ଦେବାକୁ ନୀତି ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ୧୦ ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଏବଂ ପବ୍ଲିକ୍‌ ସେକ୍ଟର ଏଣ୍ଟ୍ରପ୍ରାଇଜର ୩୧ଟି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଘରୋଇ କରଣ କରିବା ଲାଗି ଚିହ୍ନଟ କରାଯାଇଛି। ସେସବୁ ସରକାରୀ ସମ୍ପତ୍ତି ମଧ୍ୟରେ ଟୋଲ ରୋଡ୍‌, ବନ୍ଦର, କ୍ରୁଏଜ୍‌ ଟର୍ମିନାଲ, ଟେଲିକମ୍‌ ଭିତ୍ତିଭୂମି, ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌, ବିଦ୍ୟୁତ୍‌ ସଂଚରଣ ଟାଓ୍ବାର, ରେଳ ଷ୍ଟେଶନ, ସ୍ପୋର୍ଟସ୍‌ ଷ୍ଟାଡ଼ିୟମ୍‌, ମାଉଣ୍ଟେନ୍‌ ରେଲଓ୍ବେ, ଅପରେଶନାଲ ମେଟ୍ରୋ ସେକଶନ୍‌, ଓ୍ବେରହାଉସ୍‌, କମର୍ସିଆଲ୍‌ କମ୍ପ୍ଲେକ୍ସ୍‌ ଆଦି ରହିଛି।

Share