ଥୁଆମୂଳ ରାମପୁରରେ ଯନ୍ତ୍ରୀଙ୍କ ‘ଦୁର୍ନୀତି’ ବିରୋଧରେ ଜନଗର୍ଜନ: ଭିଜିଲାନ୍ସ ତଦନ୍ତ ସହ ସମ୍ପତ୍ତି ବାଜ୍ୟାପ୍ତି ପାଇଁ…

ଥୁଆମୂଳ ରାମପୁର, ୧୨ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀମାନଙ୍କ ବ୍ୟାପକ ଦୁର୍ନୀତି ଓ ସରକାରୀ ଅର୍ଥର ହରିଲୁଟ୍ ବିରୋଧରେ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମଙ୍ଗଳବାର ପୁଣିଥରେ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ପୂର୍ବରୁ ଗତ ଏପ୍ରିଲ ୨୧ ତାରିଖରେ ଏହି ଯନ୍ତ୍ରୀମାନଙ୍କ ବିରୋଧରେ ଦାବିପତ୍ର ପ୍ରଦାନ କରାଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ମଙ୍ଗଳବାର ଶତାଧିକ ନାଗରିକ କୋରାପୁଟ ଭିଜିଲାନ୍ସ ଏସପିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯୋଗରେ ମୁଖ୍ୟତଃ କନିଷ୍ଠ ଯନ୍ତ୍ରୀ ମଳୟ ଶତପଥୀ, ସତ୍ୟନାରାୟଣ ବେହେରା ଏବଂ ପ୍ରତାପ ସାହୁଙ୍କ ନାମରେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ରହି ବ୍ୟାପକ ଆର୍ଥିକ ଅନିୟମିତତା କରିଥିବା ଦର୍ଶାଯାଇଛି । ମନରେଗା ଯୋଜନାରେ ତଳନାଗୀ ଜିପିରେ ୧ କୋଟିରୁ ଅଧିକ ଟଙ୍କା ଏବଂ ତଲଝାପି ଜିପିରେ ୪୫ ଲକ୍ଷରୁ ଅଧିକ ଟଙ୍କା, ଥୁଆମୂଳ ରାମପୁର ଜିପିରେ ୧ କୋଟିରୁ ଉର୍ଦ୍ଧ ଟଙ୍କା କାମ ନକରି କେବଳ ‘ଫଲ୍ସ ବିଲ୍‌’ ମାଧ୍ୟମରେ ହଡ଼ପ କରାଯାଇଥିବା ବେଳେ ବାଗଡିଆଣି ପଞ୍ଚାୟତରେ ମଧ୍ୟ ସମାନ ଢଙ୍ଗରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।

ଯନ୍ତ୍ରୀ ମଳୟ ଶତପଥୀ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଏଠାରେ ରହି ନିଜେ ପରୋକ୍ଷ ଭାବରେ ଠିକାଦାର ସାଜି କାମ କରୁଥିବା ବେଳେ କିଆପଦର ଜିପିରେ ତିନୋଟି DMF କାର୍ଯ୍ୟକୁ ସେ ନିଜେ ଲୋକ ଲଗାଇ କରିଛନ୍ତି । ଏଥିସହ ଅଡ୍ରି, ମାଲିଗାଁ, ଗୋପୀନାଥପୁର ଏବଂ ପୋଡ଼ାପଦର ପଞ୍ଚାୟତରେ କାମ ନକରି ଲକ୍ଷ ଲକ୍ଷ ଟଙ୍କାର DMF ଅନୁଦାନକୁ ମଧ୍ୟ ସେ ହରିଲୁଟ୍ କରିଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଯନ୍ତ୍ରୀମାନେ ମୋଟା ଅଙ୍କର ଟଙ୍କା ଲାଞ୍ଚ ଦେଇ ବାରମ୍ବାର ନିଜର ବଦଳି ଅଟକାଉଥିବା ନେଇ ମଧ୍ୟ ନାଗରିକ ମଞ୍ଚ ସାଂଘାତିକ ଅଭିଯୋଗ ଆଣିଛି । ଆଜି ବିକ୍ଷୋଭ ସମୟରେ ବିଡିଓ ଧ୍ରୁବ ଚରଣ ମୁଦୁଲି ଅନୁପସ୍ଥିତ ଥିବାରୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ ଏହି ଦାବିପତ୍ର ଗ୍ରହଣ କରିଛନ୍ତି ।

ଏହି ଅଧିକାରୀମାନଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର କରିବା ସହ ସେମାନଙ୍କର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଆକାଉଣ୍ଟ ଏବଂ ସିମେଣ୍ଟ ଡିଲର ଓ ମ୍ୟାଟେରିଆଲ୍ ସପ୍ଲାଏରଙ୍କ ସହ ଯନ୍ତ୍ରୀଙ୍କର ଥିବା ଆର୍ଥିକ କାରବାରର ଭିଜିଲାନ୍ସ ତଦନ୍ତ କରିବାକୁ ମଞ୍ଚ ପକ୍ଷରୁ ଜିଦ୍ ଧରାଯାଇଛି । ଏହି ଦାବିପତ୍ରର ନକଲ କଳାହାଣ୍ଡି ଜିଲ୍ଲାପାଳ, ସାଂସଦ ଏବଂ ଭିଜିଲାନ୍ସ ଡିଏସପିଙ୍କୁ ମଧ୍ୟ ପ୍ରଦାନ କରାଯାଇଛି । ଯଦି ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଡମ୍ବରୁଧର ମହାରଣା, ଡମ୍ବରୁଧର ନାଏକ, ଚୈତନ୍ୟ ମାଝୀ, ରବିନା ନାଏକ, ଗୋବିନ୍ଦ ଗୌଡ଼, ବିନୟ ମାଝୀ, ଧ୍ରୁବ ଚରଣ ମାଝୀ, ସୁନା ମାଝୀ, ରତନ ଗୌଡ଼, ତ୍ରିନାଥ ସିଂ ମାଝୀ ଏବଂ ଦିନେଶ ନାଏକଙ୍କ ସମେତ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି ।

Dharitri – Odisha’s No.1 Odia Daily

Share