ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା

ବିଞ୍ଝାରପୁର,୯।୧୨(ଡି.ଏନ.ଏ.): ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମାନ୍ୟତା ସହ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫନର୍ସ ନିଯୁକ୍ତି ଦାବିରେ ବୁଧବାର ଆଞ୍ଚଳିକ ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣା ଦିଆଯାଇଛି। ମଞ୍ଚ ସମ୍ପାଦକ ବ୍ରହ୍ମାନନ୍ଦ ମଲ୍ଲିକଙ୍କ ନେତୃତ୍ୱରେ ଜରି, ଛନ୍ଦାମୁଣ୍ଡ, ବାଙ୍ଗରା ଅଞ୍ଚଳର ଶତାଧିକ ମହିଳା, ପୁରୁଷ, ଛାତ୍ର ଓ ଯୁବକ ଏକଜୁଟ ହୋଇ ଆନ୍ଦୋଳନ ଚଳାଇଛନ୍ତି।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ବିଞ୍ଝାରପୁର ବ୍ଲକର ଶେଷ ସୀମାରେ ଜରି ଓ ବାଙ୍ଗରା ପଞ୍ଚାୟତ। ଏହି ୨ ପଞ୍ଚାୟତକୁ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ ଲାଗିଛି। ଜରିଠାରୁ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୂରତା ୨୦ କିଲୋମିଟର ହୋଇଥିବାବେଳେ ଆଖପାଖରେ କୌଣସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନାହିଁ। ୧୯୮୭ରେ ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅବସ୍ଥାପିତ ହୋଇଥିଲା। ହେଲେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫନର୍ସ ନାହାନ୍ତି। ଫଳରେ ରାତିଅଧିଆ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ପ୍ରସୂତି ୩୫ କିଲୋମିଟର ଦୂର ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ଯିବାକୁ ପଡୁଛି। ଅଧିକାଂଶ ସମୟରେ ପ୍ରସୂତି, ଝାଡ଼ାବାନ୍ତି ଓ ସାପକାମୁଡ଼ା ରୋଗୀ ଯାଜପୁର ଯାଉଯାଉ ବାଟରେ ପ୍ରାଣ ହରାଇଥାନ୍ତି। ଅଖପାଖ ଅଞ୍ଚଳର ପ୍ରାୟ ୨୦ ପଞ୍ଚାୟତର ଦଳିତ, ଅବହେଳିତ ଲୋକ ଜରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ତେଣୁ ଉପରୋକ୍ତ ଦାବିଗୁଡ଼ିକ ପୂରଣ କରିବାକୁ ମଞ୍ଚ ସଭାପତି ଜଗନ୍ନାଥ ସାମଲ, ସମ୍ପାଦକ ବୀରେନ୍ଦ୍ରନାଥ ସାମଲ, କିଶୋର ସାମଲ, ସୁବାସଚନ୍ଦ୍ର ଘଡ଼ାଇ, ହରେକୃଷ୍ଣ ବାରିକ, ସନାତନ ମଲ୍ଲିକ, ଗଣନାଥ ବିଶ୍ୱାଳ ଓ ନିତ୍ୟାନନ୍ଦ ପରିଡ଼ା ପ୍ରମୁଖ ଦାବି କରିଛନ୍ତି। ସରକାର ଯଦି ଦାବିପୂରଣ ନ କରନ୍ତି ତେବେ ସେମାନେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।