ପ୍ରାଚୀର ନିର୍ମାଣକୁ ନେଇ ଜନସ୍ବାର୍ଥ ମାମଲା

ପୁରୀ ଅଫିସ,୨୨ା୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଭାବେ ନୂତନ ପ୍ରାଚୀର ନିର୍ମାଣ କରାଯାଉଥିବା ଅଭିଯୋଗ ଅଣାଯାଇ ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି। ସୂଚନା ଅଧିକାର କର୍ମୀ ଦିଲୀପ ବରାଳ ଏହି ମାମଲା (ନଂ. ୨୭୯୫୮/୨୦୨୨) ଦାଏର କରିଛନ୍ତି। ଏଥିରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ପରିକ୍ରମା ପ୍ରକଳ୍ପକୁ ମିଳିଥିବା ଅନୁମତି ମଧ୍ୟରେ ପ୍ରାଚୀରକୁ ଅନୁମତି ମିଳିନାହିଁ। ଏଣୁ ଏହା ବେଆଇନ ଭାବେ ନିର୍ମାଣ ଚାଲିଛି। ଆମ୍‌ସାର୍‌ ଆକ୍ଟ-୧୯୫୮, ୨(ଏ)କୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରି ଏଭଳି ନିର୍ମାଣ କରାଯାଉଛି। ସମ୍ପ୍ରତି ୫ ଫୁଟ୍‌ର ପ୍ରାଚୀର ନିର୍ମାଣ ଚାଲିଛି। ଯଦି ଏହି ପ୍ରାଚୀର ସମ୍ପୂର୍ଣ୍ଣ ରୂପେ ନିର୍ମାଣ ସରିଯିବ ଓ ପରବର୍ତ୍ତୀ ସମୟରେ ଭଙ୍ଗାଯିବ ତେବେ ସରକାରଙ୍କ ଅଯଥା ଅର୍ଥ ବରବାଦ ହେବ।
ଏଣୁ ଏହି ବେଆଇନ ନିର୍ମାଣକୁ ତୁରନ୍ତ ବନ୍ଦ କରାଯିବା ପାଇଁ ବରାଳ ଆବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟ ପଛପାର୍ଶ୍ୱରେ ଏକ ୫ ଫୁଟ୍‌ର ପ୍ରାଚୀର ନିର୍ମାଣ ହେଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) ଲିମିଟେଡ୍‌ ଏଭଳି ନିର୍ମାଣ ଜନସାଧାରଣଙ୍କ ସ୍ବାର୍ଥରେ ବୋଲି କହୁଥିବାବେଳେ ଅନେକେ ଏହାକୁ ବେଆଇନ କହି ବିରୋଧ କରୁଛନ୍ତି। ସେହିଭଳି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍‌ଆଇ) ସମ୍ପୂର୍ଣ୍ଣ ପ୍ରସଙ୍ଗରେ ମୁହଁ ଖୋଲିନାହିଁ। ଏଏସ୍‌ଆଇ ପୁରୀ ସର୍କଲ କାର୍ଯ୍ୟାଳୟ ପକ୍ଷରୁ ବେଆଇନ ପ୍ରାଚୀର ସମ୍ପର୍କିତ ସୂଚନା ସମ୍ପର୍କରେ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଚିଠି କରାଯାଇନାହିଁ।