ରୋଗୀଙ୍କୁ ଯୋଗାଉଛନ୍ତି ମାଗଣା ଆମ୍ବୁଲାନ୍ସ ସେବା

ବେଗୁନିଆ,୨୧।୧୨(ହର ପ୍ରସନ୍ନ ପଣ୍ଡା)ବର୍ତ୍ତମାନ ସମୟରେ ବ୍ୟସ୍ତ ଜୀବନରେ କିଏ ବା କାହାକୁ ପଚାରେ। ଏଭଳି କ୍ଷେତ୍ରରେ ସାଧାରଣଲୋକଙ୍କ ସେବାରେ ପ୍ରଦୀପ୍ତ କୁମାର ବିଶ୍ୱାଳ ନିଜକୁ ବ୍ରତୀ କରିଛନ୍ତି। ସେମାନଙ୍କ ସୁଖ ଦୁଃଖ ବୁଝିବା ସହ ରୋଗୀ ମାଗଣା ସେବା ଯୋଗାଇ ଯୋଗାନ୍ତି। ଦୀର୍ଘ ଦିନ ଧରି ପ୍ରଦୀପ୍ତ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ସପ୍ନ ଦେଖୁଥିବାବେଳେ ବାସ୍ତବରେ ଏବେ ସେ ସଫଳ ହୋଇଛନ୍ତି। ସେ ନିଜ ଦୁଇ ଚକିଆ ଯାନକୁ ଆମ୍ବୁଲାନ୍ସ କରି ଅଞ୍ଚଳର ରୋଗୀଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନେଉଛନ୍ତି।
ପ୍ରକାଶ ଥାଉକି, ବେଗୁନିଆ ବ୍ଲକ ବାଘମାରି ଅଞ୍ଚଳର ପ୍ରଦୀପ୍ତ ବିଗତ ଦିନରେ ଗରିବ ଲୋକଙ୍କ ସେବାରେ ନିଜକୁ ହଜେଇ ଦେଇଛନ୍ତି। ସାଧାରଣ ଲୋକଙ୍କ ସୁଖ ଦୁଃଖର ଭାଗୀଦାରୀ ହୋଇ ସମାଧାନର ସୂତ୍ର ବାହାର କରିବାରେ ଜଣେ ଦକ୍ଷ ସାମାଜିକ କର୍ମୀ ଭାବେ ପରିଚିତ ହୋଇପାରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାକୁ ସଜାଡିବାକୁ ପ୍ରୟାସ କରିଥିଲେ। ବାଘମାରୀର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇଦେବା ସହ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଟିଏ ଆମ୍ବୁଲାନ୍ସ ଦେବାକୁ ବାରମ୍ବାର ସରକାରଙ୍କୁ ଦାବି କରୁଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସଫଳ ହୋଇନାହିଁ। ଶେଷରେ ସେ ଲୋକଙ୍କ ସେବା ପାଇଁ ଏକ ଅଭିନବ ପଦକ୍ଷେପ ନେବାକୁ ସ୍ଥିର କରିଥିଲେ। ସ୍ଥାନୀୟ ଅଞ୍ଚଳର ଗୁରୁତର ରୋଗୀଙ୍କୁ ଜରୁରୀକାଳୀନ ମାଗଣା ସେବା ଯୋଗାଇ ଦେବାକୁ ସଂକଳ୍ପ କରିଥିଲେ। ସେ ନିଜ ଦୁଇ ଚକିଆ ଯାନକୁ ଏକ ଆମ୍ବୁଲାନ୍ସ ଭଳି କରିଛନ୍ତି, ଯେଉଁଥିରେ ଜଣେ ରୋଗୀ ସୁବିଧାରେ ଯାଇପାରିବେ। ଆଗକୁ ସେ ବିଭିନ୍ନ ଗ୍ରାମକୁ ଯାଇ ରୋଗୀଙ୍କୁ ସେବା ଯୋଗାଇବାକୁ ସଂକଳ୍ପ କରିଥିବା ପ୍ରଦୀପ୍ତ କହିଛନ୍ତି। ପ୍ରଦୀପ୍ତଙ୍କ ଏଭଳି ମହତ ଆଭିମୁଖ୍ୟ ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆମ ଆଦମୀ ପାର୍ଟିର ନେତା କଳ୍ପତରୁ ପଣ୍ଡା କୃତଜ୍ଞତା ଜଣାଇଛନ୍ତି।