ପାଟଣା,୨୧ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଚେମେଣା ଓ ଯମୁନା ପୋଷି ପଞ୍ଚାୟତ ୧୨ଟି ମୌଜାକୁ ନେଇ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପାଇଁ ଶୁକ୍ରବାର ଯମୁନାପଶି ପଞ୍ଚାୟତ ପଡ଼ିଆରେ
ଦ୍ୱାଦଶ ଗ୍ରାମ ସଭା ଶେଷ ହୋଇଛି। ଯମୁନାପଶି ସରପଞ୍ଚ ଶଶିଭୂଷଣ ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଗ୍ରାମସଭାରେ ଅତିରିକ୍ତ ଜିଲା ପାଳ ତଥା ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ ପାଟଣା ବିଡିଓ ମାନସ ଦଣ୍ଡପାଟ, ତହସିଲଦାର ଅଶ୍ବିନୀ କୁମାର ନାଏକ, ଇଡକୋଜମି ଅଧିଗ୍ରହଣ ଅଧିକାରୀ କୃଷ୍ଣଚନ୍ଦ୍ର ପାତ୍ର ସମିତି ସଭ୍ୟ ହେମଲତା ନାଏକ, ନାଏବ ସରପଞ୍ଚର ଓ୍ବାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ରହିଥିଲେ। ଗ୍ରାମବାସୀଙ୍କ ତରଫରୁ ୩୩ଦଫା ଦାବି ଉପସ୍ଥାପନ କରାଯାଇଥିଲା। ଜମିର କ୍ଷତିପୂରଣ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ଦାବି ନେଇ ଗ୍ରାମବାସୀ ନିଜ ମତ ରଖି ଏକର ପିଛା ୨୦ କୋଟି ଟଙ୍କାଦାବି କରିଛନ୍ତି।
ଅନ୍ୟପକ୍ଷରେ ପୋସ୍କୋ ଜିନ୍ଦଲ ପ୍ରତିରୋଧ ମଞ୍ଚ ଗ୍ରାମ କମିଟି ପକ୍ଷରୁ ଯମୁନା ପୋଷିରେ ହେଇଥିବା ଗ୍ରାମସଭା ଅଗଣତାନ୍ତ୍ରିକ କହି ଯମୁନାପୋଷି, ଗୋଡ଼ିପୋଖରୀ, କୋଡ଼ ଖମଣ, ଚେମେଣା ଧନୁର୍ଜୟପୁର ଓ ଚିଳିଦାରେ ପ୍ରତିବାଦ ଓ ନାରା ବାଜି କରାଯାଇଥିଲା।
ପୂର୍ବରୁ ୧୧ଟି ଗ୍ରାମସଭା ଶେଷ ହୋଇଥିବାବେଳେ ଶୁକ୍ରବାର ଯମୁନା ଗ୍ରାମରେ ଶେଷ ଗ୍ରାମସଭା ଅନୁଷ୍ଠିତ ହୋଇଛି। ସମସ୍ତ ଗ୍ରାମସଭା ଶେଷ ହେବା ପରେ ଏବେ ମେଗା ଷ୍ଟିଲ୍ ପ୍ଲାଣ୍ଟ୍ ପାଇଁ ପରବର୍ତ୍ତୀ ପ୍ରଶାସନିକ ଓ ଆଇନଗତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏଡିଏମ୍ ତଥା ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ରବୀନ୍ଦ୍ର ପ୍ରଧାନ କହିଛନ୍ତି। ମେଗାଷ୍ଟିଲ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ ସମସ୍ତ ଗ୍ରାମସଭା ଶେଷ ହୋଇଥିବାରୁ ସ୍ଥାନୀୟପ୍ଲାଣ୍ଟ ସପକ୍ଷବାଦୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବାବେଳେ ପ୍ଲାଣ୍ଟ ବିରୋଧୀ ପରବର୍ତ୍ତୀ କାର୍ଯ୍ୟ ପାଇଁ ପନ୍ଥା ପାଇଁ ସଜ ହୋଇଛନ୍ତି। କେବେ ଷ୍ଟିଲ୍ ପ୍ଲାଣ୍ଟ ନିର୍ମାଣ ଆରମ୍ଭ ହେବ ଏବଂ ଏହାଦ୍ୱାରା କେନ୍ଦୁଝରର ଶିଳ୍ପ, ରୋଜଗାର ଓ ଅର୍ଥନୀତିରେ କେବେ ପରିବର୍ତ୍ତନ ଆସିବ ସେନେଇ ଏବେ ସମସ୍ତଙ୍କ ନଜର ରହିଛି।