ରାସ୍ତା ନିର୍ମାଣ ତ୍ରୁଟି ବିରୋଧରେ ଆନ୍ଦୋଳନ

ରସୁଲପୁର,୨୯ା୧୨(ଡି.ଏନ.ଏ.): ଧର୍ମଶାଳା ଥାନା ଅଧୀନ ୧୬ ନଂ. ଜାତୀୟ ରାଜପଥର ବାରବାଟୀ ପଞ୍ଚାୟତ ଦୁର୍ଗାଦେବୀ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାଳକ କୁଆଖିଆ ଥାନା ପ୍ରଥମାଖଣ୍ଡ ଗ୍ରାମର ମଧୁସୂଦନ ସାହୁଙ୍କ ପୁଅ ଅଶୋକ (୨୮)ଗୁରୁତର ହୋଇଥିଲେ। ମଙ୍ଗଳବାର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା ନିର୍ମାଣରେ ତ୍ରୁଟିଯୋଗୁ ଦୁର୍ଘଟଣା ଘଟୁଥିବା ପ୍ରଥମାଖଣ୍ଡି ଗ୍ରାମ ଲୋକେ ଅଭିଯୋଗ କରି ସକାଳ ସାଢ଼େ ୮ଟାରେ ରାଜପଥ ଅବରୋଧ କରିଥିଲେ। ଲୋକେ ରାସ୍ତାରେ ଟାୟାର ଜାଳି ଠିକାସଂସ୍ଥା ଡିବିଏଲର ରାସ୍ତା ନିର୍ମାଣରେ ତ୍ରୁଟିକୁ ବିରୋଧ କରିଥିଲେ। ରାସ୍ତା ନିର୍ମାଣରେ ତ୍ରୁଟି ଯୋଗୁ ଦୈନିକ ଦୁର୍ଘଟଣା ଘଟୁଛି। ସର୍ଭିସ୍‌ ରୋଡ୍‌କୁ ଠିକ୍‌ ଭାବେ ନିର୍ମାଣ କରା ନ ଯାଇ ରାସ୍ତା କରାଯାଉଛି। ବାରବାଟୀଠାରୁ କୁଆଖିଆ ପର୍ଯ୍ୟନ୍ତ ୮ କି.ମି. ରାଜପଥ ରାସ୍ତା ବ୍ୟସ୍ତବହୁଳ ରହୁଛି। ବାରବାଟୀ ହାଟ, କୁଆଖିଆ ବାଜର, ଦୁର୍ଗାଦେବୀ ମନ୍ଦିର ଆଦି ସ୍ଥାନକୁ ଦୈନିକ ଶତାଧିକ ଲୋକେ ଯାତାୟାତ କରୁଛନ୍ତି। ରାଜପଥ ନିର୍ମାଣ ସମୟରେ ବ୍ୟବହାର କରୁଥିବା ସର୍ଭିସ୍‌ ରୋଡର ସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି। ଠିକାସଂସ୍ଥା ପକ୍ଷରୁ ଠିକ୍‌ ମରାମତି କରାଯାଉ ନାହିଁ। ରାସ୍ତାରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ ଏଣେତେଣେ ଗଦା କରାଯାଉଥିବାରୁ ଦୁର୍ଘଟଣାମାନ ଘଟୁଛି। ତେଣୁ ଏହାକୁ ତୁରନ୍ତ ମରାମତି ସହ ଗମନାଗମନକୁ ସୁଗମ ଲାଗି ଗୋପାଳପୁରଠାରେ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ ପାଇଁ ଦାବି କରାଯାଇଛି। ଏହି କ୍ରମରେ ୧ ଘଣ୍ଟାରୁ ଅଧିକ ସମୟ ରାସ୍ତା ଅବରୋଧ କରାଯାଇଥିଲା।
ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। କୁଆଖିଆ ଥାନା ଅଧିକାରୀ ମନୋଜ ସ୍ବାଇଁ, ଡିଏସ୍‌ପି ହୃଦାନନ୍ଦ ବେହେରା, ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ, ରସୁଲପୁର ତହସିଲଦାର ନିରଞ୍ଜନ ସାହୁ ପ୍ରମୁଖ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରି ରାସ୍ତା ଅବରୋଧ ହଟାଇଥିଲେ। ତହସିଲଦାର ମୃତକଙ୍କ ପରିବାରକୁ ରେଡ୍‌କ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ। ତେବେ ଅବରୋଧକାରୀମାନେ ରାସ୍ତାରୁ ହଟିଯାଇଥିଲେ ମଧ୍ୟ ଠିକାସଂସ୍ଥା ଗାଡ଼ିଗୁଡିକୁ ଅଟକାଇ ରଖିଥିଲେ। ଏ ସମ୍ପର୍କରେ ଠିକାସଂସ୍ଥା ଅବଗତ ହେବା ପରେ ଅଧିକାରୀମାନେ ପହଞ୍ଚତ୍ ଲୋକଙ୍କ ସହ ଆଲୋଚନା କରି ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଅପରାହ୍ନରେ ନିର୍ମାଣ କାର୍ଯ୍ୟ ସ୍ବାଭାବିକ ହୋଇଥିଲା।