ଠିପି ଖୋଲା ମଦ ଦୋକାନକୁ ବିରୋଧ: ସରକାର ନ ଓହରିଲେ ଜନଆନ୍ଦୋଳନ ଚେତାବନୀ

ପଟ୍ଟାମୁଣ୍ଡାଇ,୧୫ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଗୋଗୁଆ-ଚୌଦକୁଲାଟ ରାସ୍ତାରେ ଏକ ଠିପି ଖୋଲା ମଦ ଦୋକାନ ଓ ବାର ଖୋଲିବା ପାଇଁ ସରକାରୀସ୍ତରରେ ଯୋଜନା ଚାଲିଛି। ଏକଥା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପ୍ରସ୍ତାବରୁ ସରକାର ନ ଓହରିଲେ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।

ପୂର୍ବରୁ ପଟ୍ଟାମୁଣ୍ଡାଇ ଥାନା ଗୋଗୁଆ-ଚୌଦକୁଲାଟ ରାସ୍ତାରେ ଏକ ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ସରକାରୀ ମଦ ଦୋକାନ ରହିଛି । ମାତ୍ର ସେଠାରେ ଆଉ ଏକ ଠିପି ଖୋଲା ସରକାରୀ ମଦ ଦୋକାନ ଖୋଲିବା ପାଇଁ ଦୋକାନ ଗୃହ ନିର୍ମାଣ ଚାଲିଥିବା ସହିତ ବାର ପାଇଁ ଆବେଦନ କରାଯାଇଛି । ସରକାରୀ ନିୟମ ଅନୁସାରେ ହୋଟେଲ ଖୋଲାଯିବା ପରେ ବାର ପାଇଁ ଆବେଦନ କରାଯାଇଥାଏ । ଏଠାରେ ଆଦୌ ହୋଟେଲ ନ ଥିବାବେଳେ ଏକ ଅର୍ଦ୍ଧନିର୍ମିତ କୋଠାରେ ଭ୍ରମ ସୃଷ୍ଟି ପାଇଁ ବ୍ୟାନର ବନ୍ଧାଯାଇ ହୋଟେଲ ବୋଲି ସୂଚିତ କରାଯାଇଛି । କେନ୍ଦ୍ରାପଡ଼ା ସିଡିଏମ୍‌ଓ କେଉଁ ନିୟମକୁ ଆଧାର କରି ଫୁଡ୍‌ ଲାଇସେନ୍ସ ପ୍ରଦାନ କରିଛନ୍ତି ବୋଲି ଜିଲାପରିଷଦ ସଦସ୍ୟା ମଧୁଛନ୍ଦା ମହାନ୍ତି, ଚନ୍ଦନପୁର ସରପଞ୍ଚ ରମାକାନ୍ତ ମଲିକ, ପୂର୍ବତନ ସରପଞ୍ଚ ସୋନାଲି ବିଶ୍ୱାଳ, ପୂର୍ବତନ ସରପଞ୍ଚ ସୁବାସ ଶର୍ମା, ପୂର୍ବତନ ସରପଞ୍ଚ କୈଳାଶ ଚନ୍ଦ୍ର ମଲିକ ପ୍ରମୁଖ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷେ ଗୋଗୁଆ-ଚୌଦକୁଲାଟ ଏକ ବ୍ୟସ୍ତବହୁଳ ରାସ୍ତା । ଏହା ପଟ୍ଟାମୁଣ୍ଡାଇ ଧୋୟାଅଞ୍ଚଳର ମୁଖ୍ୟ ପ୍ରବେଶ ପଥ । ଠିପି ଖୋଲା ମଦ ଦୋକାନ ଖୋଲାଗଲେ ସେହି ଅଞ୍ଚଳରେ ଅସମାଜିକ ବ୍ୟକ୍ତିମାନଙ୍କ ଦୌରାତ୍ମ ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଲୋକଙ୍କ ସୁରକ୍ଷା ବିପନ୍ନ ହେବାର ସମ୍ଭାବନା ରହିଛି ବୋଲି ମତ ପ୍ରକାଶ ପାଇଛି । ପ୍ରସ୍ତାବିତ ମଦ ଦୋକାନ ନିକଟବର୍ତ୍ତୀ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, ଚଉଦକୁଲାଟ କଲେଜ ଓ ୫ ଶହ ବର୍ଷର ପୁରାତନ ପ୍ରସିଦ୍ଧ ଚଉଦକୁଲାଟ ଦଧିବାମନଜୀଉଙ୍କ ମନ୍ଦିର ରହିଛି । ରାଜ୍ୟ ସରକାର, ଅବକାରୀ ବିଭାଗ ଓ ଜିଲା ପ୍ରଶାସନ ପ୍ରସ୍ତାବିତ ମଦ ଦୋକାନ ଖୋଲିବା ନିଷ୍ପତ୍ତିରୁ ଓହରି ଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ନ ହେଲେ ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।