ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ପୁରୀ ଅଫିସ/ନିମାପଡ଼ା/ପିପିଲି, ୬ା୧ (ଡି.ଏନ୍‌.ଏ./ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୃତାଙ୍ଗସ୍ଥିତ ଯଁକୁଟି ନିକଟରେ ଭାଜପା ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ଶନିବାର ହତ୍ୟା କରାଯାଇଥିଲା। ଏହି ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ପୁରୀ ଜିଲା ଭାଜପା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି କରିଥିଲା। ଏ ନେଇ ଜିଲା ଭାଜପା ପକ୍ଷରୁ ମଙ୍ଗଳବାର ଟାଉନଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ହତ୍ୟାକାଣ୍ଡ ସମ୍ପର୍କରେ କୁଳମଣୀଙ୍କ ପୁଅ ରମାକାନ୍ତ ଅଭିଯୋଗ କରିବା ପରେ ମନ୍ତ୍ରୀ ଜେନାଙ୍କ ସମେତ ୧୩ ଜଣଙ୍କ ନଁାରେ ମାମଲା ରୁଜୁ ହୋଇଥିଲା। ହେଲେ ଏପର୍ଯ୍ୟନ୍ତ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଏତଲାରେ ମନ୍ତ୍ରୀ ଜେନାଙ୍କ ନଁା ଉଲ୍ଲେଖ ଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଭାଜପା ଶରଧାବାଲି ମଣ୍ଡଳ ସଭାପତି ସନ୍ଦୀପ ମୁଖାର୍ଜୀ କହିଛନ୍ତି। କୁଳମଣିଙ୍କ ପରିବାରକୁ ରାଜ୍ୟ ସରକାର ନ୍ୟାୟ ଦିଅନ୍ତୁ, ସ୍ବଚ୍ଛ ଭାବେ ତଦନ୍ତ ପ୍ରକ୍ରିୟା ଚାଲୁ ଓ ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଜେନା ଇସ୍ତଫା ଦିଅନ୍ତୁ ବୋଲି ଭାଜପା ଦାବି କରିଛି। ଏହି ବିକ୍ଷୋଭରେ ଯୁବମୋର୍ଚ୍ଚା ସଭାପତି ଜୟନ୍ତ ଦାସ, ଜ୍ୟୋତି ମହାପାତ୍ର, ଭବାନୀ ଦାସ ମହାପାତ୍ର, ସନ୍ଦୀପ କୁମାର ମୁଖାର୍ଜୀ, ରବି ନାରାୟଣ ଦାସଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ସେହିପରି ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଶତାଧିକ କର୍ମୀ ନିମାପଡ଼ା ଥାନା ଘେରାଉ କରିବା ସହ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏଥିରେ ଯୁବମୋର୍ଚ୍ଚା ସଭାପତି ଜାନକୀନାଥ ଜେନା, ରମେଶ ଜେନା, ମାନସ ପ୍ରଧାନ, ଯଚୀନ୍ଦ୍ର ସ୍ବାଇଁ, ଦିଲୀପ ପାତ୍ର, କୃଷ୍ଣଚନ୍ଦ୍ର ସ୍ବାଇଁ, ରାକେଶ ସେନାପତି, ଚନ୍ଦ୍ରକାନ୍ତ ପରିଡ଼ା, ପ୍ରଭାତ ନାୟକ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ। ଏହି ଅବସରରେ ଦଳ ପକ୍ଷରୁ ଏକ ଶୋଭାଯାତ୍ରା ପାର୍ଟି ଅଫିସରୁ ବାହାରି ଥାନା ସମ୍ମୁଖରେ ପହଞ୍ଚତ୍ଥିଲେ। ସେହିଭଳି ପିପିଲି ଦାଣ୍ଡମକୁନ୍ଦପୁର ମଣ୍ଡଳ ଭାଜପା ଯୁବମୋର୍ଚ୍ଚା ସଭାପତି ଦେବୀ ପ୍ରସାଦ ମଲ୍ଲିକଙ୍କ ନେତୃତ୍ୱରେ କର୍ମୀମାନେ ପିପିଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ବରିଷ୍ଠ ନେତା ସୁକାନ୍ତ ଦାଶ, ପ୍ରଦୀପ ସାହୁ, ଧନେଶ୍ୱର ପ୍ରଧାନ, ଆଶିଷ ସାମନ୍ତରାୟ, ପ୍ରଶାନ୍ତ ପ୍ରଧାନ, ମଣ୍ଡଳ ସଭାପତି ପ୍ରଦୀପ ପାତ୍ର, ଗଦାଧର ପରିଡ଼ା, ଦେବପ୍ରସାଦ ତ୍ରିପାଠୀ, ନିଖିଲେଶ ମିଶ୍ର, ତାପସ ରଞ୍ଜନ ନାୟକ, ଅନନ୍ତ ପରିଡ଼ା ପ୍ରମୁଖ ସାମିଲ ଥିଲେ।