ଖୋର୍ଦ୍ଧା,୨୬ା୧୦(ପ୍ରଭାତ ପାଣିଗ୍ରାହୀ): ‘ଟାଟା ହଟାଅ, ଓଡ଼ିଶା ବଞ୍ଚାଅ’ ନାରାରେ ଖୋର୍ଦ୍ଧାରେ ତେଜିଛି ବିଦ୍ୟୁତ୍ ଠିକା କର୍ମଚାରୀଙ୍କ ଆନ୍ଦୋଳନ। ଖୋର୍ଦ୍ଧା ବିଦ୍ୟୁତ୍ ଡିଭିଜନ ଅଧୀନ ୧୮ଟି ସେକ୍ସନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ କରି ସୋମବାର ଏକ ବିଶାଳ ଶୋଭାଯାତ୍ରା ବାହାରିଛି। ଦଣ୍ଡ ପ୍ରଣାମ ଓ ଘଣ୍ଟନାଦ ମାଧ୍ୟମରେ ପ୍ରତିବାଦ ଜଣାଇ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ଦୁଃଖ ଜଣାଇବାକୁ ଯାତ୍ରା କରିଛନ୍ତି।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୪ ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ଟାଟା ପାଓ୍ବାର କୌଣସି ଠିକା କର୍ମଚାରୀଙ୍କୁ ଛଟେଇ ନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅକ୍ଟୋବର ମାସରେ ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବାଦ୍ ଦିଆଯାଇଥିବା ସେମାନେ କହିଛନ୍ତି। ଏହାଦ୍ୱାରା ଅନେକ ପରିବାରର ଜୀବିକା ସଙ୍କଟରେ ପଡ଼ିଥିବା ଦର୍ଶାଇ ଛଟେଇ ବନ୍ଦ ସହ କର୍ମଚାରୀଙ୍କ ଜୀବିକା ସୁରକ୍ଷା ଦାବି କରିଛନ୍ତି।
ଛଟେଇକୁ ନେଇ କ୍ଷୋଭ ପ୍ରକାଶ କରି ଆନ୍ଦୋଳନକାରୀମାନେ କହିଛନ୍ତି, ଓଡ଼ିଶାର ଯୁବକ ଓ କର୍ମଚାରୀଙ୍କୁ ରାଜ୍ୟରେ ରୋଜଗାର ସୁଯୋଗ ନମିଳିଲେ ସେମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବେ। ଏଭଳି ପରିସ୍ଥିତି ରୋକିବା ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।
କେବଳ କର୍ମଚାରୀଙ୍କ ଛଟେଇ ନୁହେଁ, ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦାଯାଉଥିବା ନେଇ ମଧ୍ୟ ଆନ୍ଦୋଳନକାରୀମାନେ ଅଭିଯୋଗ ଉଠାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ନୂଆ ସର୍ଭିସ ତାର ବଦଳାଇବା ସେବା ମାଗଣାରେ ମିଳୁଥିବା ବେଳେ ଏବେ ଏଥିପାଇଁ ୧,୧୨୮ ଟଙ୍କା ଦେବା ସହ ଉପଭୋକ୍ତାଙ୍କୁ ନିଜେ ତାର କିଣିବାକୁ ପଡ଼ୁଛି। ଏଥିସହ ସ୍ମାର୍ଟ ମିଟର ସ୍ଥାପନକୁ ନେଇ ଉପଭୋକ୍ତାଙ୍କ ଉପରେ ଚାପ ପକାଯାଉଥିବା ଏବଂ ସେମାନଙ୍କୁ ଶୋଷଣ କରାଯାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।
ଓଡ଼ିଆ ଅସ୍ମିତାର ସୁରକ୍ଷା କଥା କହୁଥିବା ରାଜ୍ୟ ସରକାର ଠିକା କର୍ମଚାରୀଙ୍କ ଜୀବିକା ଓ ବିଦ୍ୟୁତ୍ ଉପଭୋକ୍ତାଙ୍କ ସମସ୍ୟା ପ୍ରତି କାହିଁକି ନିରବ ରହିଛନ୍ତି ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି। ଛଟେଇ ବନ୍ଦ, କର୍ମଚାରୀଙ୍କ ଜୀବିକା ସୁରକ୍ଷା ଏବଂ ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

