କଟକ ସଦର,୨୬ା୧୦(ସୁଶାନ୍ତ କୁମାର ଜେନା): ୨୦୨୫ରେ କଟକ ଜିଲାପାଳ ଏକ ନିର୍ଦ୍ଦେଶନାମା ଜାରି କରି ସରକାରୀ ଜମିର ହସ୍ତାନ୍ତର କରିବାର କ୍ଷମତା ଜିଲାର ସମସ୍ତ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ଏହି ନିର୍ଦ୍ଦେଶନାମାରେ ରାଜ୍ୟ ସରକାରଙ୍କ ଯେ କୌଣସି ସରକାରୀ ବିଭାଗ ସ୍ଥାୟୀ ନିର୍ମାଣ ପୂର୍ବରୁ ସ୍ଥାନୀୟ ତହସିଲଦାରଙ୍କଠାରୁ ଅନୁମତି ନେବା ବାଧ୍ୟତାମୂଳକ ଅଟେ। ଏହି ନିର୍ଦ୍ଦେଶନାମା ବଳରେ କଟକ ସଦର ଓ କିଶନ ନଗର ତହସିଲଦାର ଗୋଚର, ଆବାଦ ଅଯୋଗ୍ୟ ଅନାବାଦୀ, ନୟନ ଯୋରି, ଗ୍ରାମ୍ୟ ଜଙ୍ଗଲ କିସମ ଜମିକୁ ଅନ୍ୟ ସରକାରୀ ବିଭାଗକୁ ହସ୍ତାନ୍ତର କରିବାରେ ଲାଗିଛନ୍ତି। ଏହିଭଳି ବ୍ୟବସ୍ଥା ଲାଗି ରହିଲେ ଆଉ ସରକାରୀ ଜମି ୫ ବର୍ଷରେ ଶେଷ ହୋଇଯିବ। ଯେ କୌଣସି ପ୍ରକଳ୍ପ କରିବା ପାଇଁ ସରକାରଙ୍କୁ ସାଧାରଣ ଲୋକଙ୍କଠାରୁ ଜମି କିଣିବା ପାଇଁ ପଡ଼ବ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ୨୦୨୫ ଜୁଲାଇ ୧୦ରେ ପତ୍ର ସଂଖ୍ୟା ୭୦୧୮ରେ କଟକ ଜିଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ଜିଲାର ୧୪ ନିର୍ମାଣ ବିଭାଗ ଓ ୧୪ ବ୍ଲକକୁ ସରକାରୀ ଜାଗାରେ କୌଣସି ପ୍ରକାରର ନିର୍ମାଣ କଲେ ସ୍ଥାନୀୟ ତହସିଲଦାରଙ୍କଠାରୁ ଏନ୍ଓସି ନେବା ପାଇଁ କୁହାଯାଇଛି। ମାତ୍ର ଏହି ନିୟମ ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ ୧୯୬୨ ଓ ସଂଶୋଧିତ ୨୦୧୩କୁ ବିରୋଧ କରୁଛି। ଉକ୍ତ ଆଇନର ତଫସିଲ-୨ରେ ତହସିଲଦାର ଓ ଉପଜିଲାପାଳ କୌଣସି ସରକାରୀ ଜମି ବ୍ୟବହାର କରିବା ପାଇଁ ଆଗୁଆ ଅନୁମତି ଦେବାପାଇଁ ପ୍ରାଧିକୃତ ନୁହନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନୁଶାସନ ସଚିବ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରିଥିବା କଟକ ଜିଲାପାଳଙ୍କ କ୍ଷମତା ସମ୍ପର୍କରେ ପୁନଃ ତର୍ଜମା କରିବା ପାଇଁ ଦାବି ହେଉଛି।

