ଶ୍ରୀମନ୍ଦିର ସୁରକ୍ଷା ନେଇ ୨୭ରେ ବିକ୍ଷୋଭ, ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ ହେବାକୁ ଆହ୍ବାନ

ଭୁବନେଶ୍ୱର,୨୨।୪ (ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆର୍କିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ର ଅନୁମତି ମିଳି ନ ଥିବା ନେଇ ବିବାଦ ଉପୁଜିଥିଲା। ଏପରି ସ୍ଥିତିରେ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ। ଶ୍ରୀମନ୍ଦିର ଓ ମେଘନାଦ ପାଚେରିର ସୁରକ୍ଷା ଦାବି କରି ଆସନ୍ତା ୨୭ ତାରିଖରେ ସିଂହଦ୍ୱାର ସମ୍ମୁଖରେ ସାମୂହିକ ବିକ୍ଷୋଭ ପାଇଁ ସେ ଆହ୍ବାନ କରିଛନ୍ତି।

ଏ ସମ୍ପର୍କରେ ରାଉତରାୟ କହିଛନ୍ତି, ଜଗନ୍ନାଥ ପ୍ରେମୀ ଆମେ ସମସ୍ତେ ଏକାଠି ହୋଇଛୁ। ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନଥ ମନ୍ଦିର ଓ ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ପାଇଁ ଆମେ ସମସ୍ତେ ଆସନ୍ତା ୨୭ ତାରିଖ ସକାଳ ୯ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏକାଠି ହେବାକୁ ଯାଉଛୁ। ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା କରାଯିବ। ଏଡେ ବଡ଼ ମନ୍ଦିର ଓ ମେଘନାଦ ପାଚେରି ଯେଉଁ ରାଜା ନିର୍ମାଣ କରିଥିଲେ ସେ ମନ୍ଦିର ଅନୁଯାୟୀ ନିଅଁ ପକାଇଥିଲେ। ତେଣୁ ଏତେ ବଡ଼ ବଡ଼ଦାଣ୍ଡ ଖାଲି ଛାଡି ଦେଇଥିଲେ। ଏତେ ବଡ଼ ମନ୍ଦିରକୁ ଠିଆ ରଖିବା ପାଇଁ ବଡ଼ଦାଣ୍ଡ ପୋତା ହୋଇଛି। ପାଇଖାନା କରିବା ପାଇଁ ହଠାତ୍‌ ସରକାର ବଡ଼ଦାଣ୍ଡକୁ ଖୋଳିଦେଲେ। ଚାରିଆଡ଼ୁ ଆନ୍ଦୋଳନ ହେଲା, ପୁଣି କାମ ବନ୍ଦ କଲେ। ଏପର୍ଯ୍ୟନ୍ତ ଏଏସ୍‌ଆଇ ପକ୍ଷରୁ ଅନୁମତି ଦିଆଯାଇ ନ ଥିଲେ ସୁଦ୍ଧା ସରକାର କେମିତି ଖୋଳିଲେ ବୋଲି ରାଉତରାୟ ପ୍ରଶ୍ନ କରିଛନ୍ତି। ଭାଜପା, କଂଗ୍ରେସ, ଏଏପି, ବାମଦଳ ଦଳମତ ନିର୍ବିଶେଷରେ ସମସ୍ତେ ଏହି ଆନ୍ଦୋଳନରେ ସାମିଲ ହେବା ପାଇଁ ସେ ଆହ୍ବାନ ଦେଇଛନ୍ତି।