ଉଠା ଦୋକାନୀଙ୍କ ବିରୋଧ, ଆଜିଠାରୁ ଉଚ୍ଛେଦ ବନ୍ଦ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ବିଏମ୍‌ସି, ବିଡିଏ ଓ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ଉଚ୍ଛେଦକୁ ଜୋର୍‌ଦାର ବିରୋଧ କରିଛି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ୱ ଉଠାଦୋକାନୀ ମହାସଂଘ। ଶୁକ୍ରବାର ଉଠାଦୋକାନୀମାନେ ରାସ୍ତାକୁ ଓହ୍ଲାଇବା ପରେ ନିଷ୍ପତ୍ତି ବଦଳାଇଛି ବିଏମ୍‌ସି। ଶନିବାରଠାରୁ ଉଚ୍ଛେଦ ହେବ ନାହିଁ ବୋଲି ବିଏମ୍‌ସିର ନର୍ଥ ଜୋନ୍‌ ଆସିଷ୍ଟାଣ୍ଟ କମିଶନର ସୁରେଶ ଚନ୍ଦ୍ର ଲେଙ୍କା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶନିବାରଠାରୁ ଆଉ ଉଠା ଦୋକାନ ଭଙ୍ଗା ଯିବନି। ଏହାକୁ କିଛିଦିନ ପାଇଁ ସ୍ଥଗିତ ରଖାଯିବ। ସେହିପରି ଉଚ୍ଛେଦ ପୂର୍ବରୁ ସଂଘ ସହ ଆଲୋଚନା କରାଯିବ। ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ଲେଙ୍କା ପ୍ରତିଶ୍ରୁତି ଦେଇଥିଲେ। ଅପରପକ୍ଷେ ବିଚାର ନ କଲେ ଆନ୍ଦୋଳକୁ ବ୍ୟାପକ କରାଯିବ ବୋଲି ମହାସଂଘ ରାଜ୍ୟ ସଭାପତି ପ୍ରତାପ ସାହୁ କହିଛନ୍ତି। ଏଥିସହ ହକି ପାଇଁ ବିଭିନ୍ନ ଦେଶରୁ ଆସିଥିବା ଖେଳାଳିଙ୍କ ଦେଶର ଦୂତାବାସକୁ ଭୁବନେଶ୍ବର ସମସ୍ୟା ନେଇ ଟୁଇଟ୍‌ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଉତ୍ତର ନିର୍ବାଚନ ମଣ୍ଡଳୀର ୫୫ଟି ସଂଘର ଶହଶହ ଉଠାଦୋକାନୀ ପଟିଆ ଛକରୁ ଶୋଭାଯାତ୍ରାରେ ଆସି କଳିଙ୍ଗ ହସ୍ପିଟାଲ ଛକ ନିକଟ ଉତ୍ତର ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ମହାସଂଘ ସାଧାରଣ ସମ୍ପାଦକ ଅନୁଜ ପ୍ରଧାନଙ୍କ ନେତୃତ୍ୱରେ ୧୧ଜଣିଆ ପ୍ରତିନିଧି ମଣ୍ଡଳୀ ବିଏମ୍‌ସି ଉପ ସଚିବଙ୍କୁ ଭେଟି ୭ଦଫା ଦାବି ନେଇ ଆଲୋଚନା କରିଥିଲେ।