ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଚାଷୀ ପଞ୍ଜୀକରଣରେ ଏଗ୍ରିଷ୍ଟିକ୍‌ ବାତିଲ କରି ଭାଗଚାଷୀଙ୍କ ମାଲିକଙ୍କ ଆଇସ୍କାନ କରିବା ବନ୍ଦ କରି ଗତ ବର୍ଷ ପରି ସହପତ୍ରରେ ପଞ୍ଜୀକରଣ କରିବା ମନ୍ଦିର ଦେବାଳୟ ଜମିର ସମସ୍ତ ଚାଷୀଙ୍କୁ ସ୍ବୀକୃତି ଦେଇ ପଞ୍ଜୀକରଣ କରିବା, ପରିବାର ଓ ମୃତ ବ୍ୟକ୍ତିଙ୍କ ନାମରେ ପଟ୍ଟା ଥିଲେ ରାଜସ୍ବ ବିଭାଗରୁ ପ୍ରମାଣପତ୍ର ଦେଇ ପଞ୍ଜୀକରଣ କରିବା ଓ ପଞ୍ଜୀକରଣ ସମୟ ସୀମା ଅବଧି ବୃଦ୍ଧି କରବା ଦାବି ନେଇ ହୁମ୍ମାଠାରେ ରାଜପଥ ଅବରୋଧ କରିଥିଲେ। ଏଥିରେ ଓଡ଼ିଶା କୃଷକ ସଭା ଜିଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ ଯୋଗ ଦେଇ କେନ୍ଦ୍ର ମୋଦି ସରକାର ଚାଷୀଙ୍କୁ ସର୍ବନିମ୍ନ ସହାୟକ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଚାଷୀ ସମାଜ ପ୍ରତି ବିଶ୍ୱାସଘାତକ କରିଛନ୍ତି। ରାଜ୍ୟ ସରକାର ଚାଷୀଙ୍କ କଥା କହି ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସି ଚାଷୀଙ୍କୁ ପ୍ରତାରଣା କରିଛନ୍ତି। ଚାଷୀମାନେ ପଞ୍ଜୀକରଣ ଯେପରି କରି ନ ପାରିବେ ଷଡ଼ଯନ୍ତ୍ର କରୁଛନ୍ତି ସରକାର। ଚାଷୀଙ୍କୁ କଟକଣା ଦ୍ୱାରା ରଖି ତାଙ୍କର ଅଧିକାର ଓ ମୂଲ୍ୟ ପାଇବାରେ ବଞ୍ଚିତ କରୁଛନ୍ତି ବୋଲି ରେଡ୍ଡୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଜିଲାରେ ୫୦ ଭାଗରୁ ଊର୍ଦ୍ଧ୍ୱ ଭାଗ ଚାଷୀ ପଞ୍ଜୀକରଣ ନ ହେଲେ ତାଙ୍କ ଧାନ କେଉଁଠି ବିକ୍ରି କରିବେ ବୋଲି ପ୍ରଶ୍ନ କରାଯାଇଛି। ଜିଲା ଅଭାବ ଧାନ ବିକ୍ରି ହେଲେ ବେପାରୀ ଓ ମିଲରମାନେ ଲାଭବାନ ହେବେ। ଚାଷୀ ତା’ର ମୂଲ୍ୟ ନ ପାଇ ଋଣ ପରିଶୋଧ ନ କରି ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ରେଡ୍ଡୀ କହିଛନ୍ତି। ସରକାର ଅନ୍ନଦାତାଙ୍କୁ ମରଣଯନ୍ତା ଭିତରକୁ ଠେଲି ଦେଉଛନ୍ତି। ଏହା ବିରୋଧରେ କେନ୍ଦ୍ର ଓ ରାଜ୍ୟ ସରକାରକୁ ଅନ୍ନଦାତାମାନେ ଉପଯୁକ୍ତ ଜବାବ ଦେବେ।

ଏହି ଆନ୍ଦୋଳନରେ ଜିଲାର ବରିଷ୍ଠ କୃଷକ ନେତା ଗୋପାଳକୃଷ୍ଣ ପାଣିଗ୍ରାହୀ, କୃଷକ ସଭା ଉପସଭାପତି ଯୋଗେଶ ଚନ୍ଦ୍ର ସାହୁ, ଜିଲା କମିଟି ସଭ୍ୟ ଅଜୟ ଗୌଡ଼, ଦୁର୍ଯ୍ୟୋଧନ ସ୍ବାଇଁ ବ୍ଲକ ସମ୍ପାଦକ ସରପଞ୍ଚ ବୈରାଗୀ ବେହେରା, ପଦ୍ମନାଭ ପ୍ରଧାନ, ଗୋବର୍ଦ୍ଧନ ପାହାନ, ମୋଚିରାମ ଶବର, ସୁରେନ୍ଦ୍ର ସାହୁ, ଲଡ଼ୁ ଦାସ ପ୍ରମୁଖ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Share