ଅଧିକାର ପାଇଁ ଆନ୍ଦୋଳନ: ସମୁଦ୍ର ଆଁରୁ ଭିଟାମାଟି ବଞ୍ଚାଇବାକୁ…

ଛତ୍ରପୁର, ୧୭।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀଠାରେ ସମୁଦ୍ର କୂଳ ଲଙ୍ଘିବା ଘଟଣା ଏବେ ଆନ୍ଦୋଳନର ରୂପ ନେଇଛି। ସମୁଦ୍ରର ଉଗ୍ର ରୂପରୁ ନିଜ ଭିଟାମାଟି ଓ ପରିବାରକୁ ବଞ୍ଚାଇବା ଦାବିରେ ଗ୍ରାମବାସୀ ସୋମବାର ଗୋପାଳପୁର ବନ୍ଦରର ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ବିଭିନ୍ନ ସମୟରେ ଅନେକଥର ଦାବି କରିବା ସହ ଜିଲା ପ୍ରଶାସନ ସହ ଆଲୋଚନା କରାଯାଇଥିଲେ ମଧ୍ୟ ସମସ୍ୟାର କୌଣସି ସମାଧାନ ହୋଇପାରିନାହିଁ। ଏପରିକି ପ୍ରଶାସନ ଓ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ଏନେଇ କୌଣସି ଠୋସ ପଦକ୍ଷେପ ନିଆଯାଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ବାଧ୍ୟ ହୋଇ ବଡ଼ ଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ, କତୁର ଓ କେ. ଆର୍ଯ୍ୟପଲ୍ଲୀ ଭଳି ୪ ଖଣ୍ଡ ଗ୍ରାମର ବାସିନ୍ଦା ନିଜ ଭିଟାମାଟି ଓ ପରିବାରକୁ ବଞ୍ଚାଇବା ସହ ଅଧିକାର ପାଇଁ ଲଢ଼େଇ ଆରମ୍ଭ କରିଛନ୍ତି।

ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର ଦିନକୁ ଦିନ କୂଳ ଲଙ୍ଘିବାରେ ଲାଗିଛି। କେଉଁ ମୁହୂର୍ତ୍ତରେ ସମୁଦ୍ର ଗାଁକୁ ଗ୍ରାସ କରିବ, ତାହାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହାସହ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନେକ ଛାତ୍ରୀଛାତ୍ର ସ୍କୁଲ ଯିବାକୁ ପଛଘୁଞ୍ଚା ଦେଉଥିବା ଗ୍ରାମବାସୀ କହିଛନ୍ତି।

ଏ ନେଇ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କେହି ସେମାନଙ୍କ ଗୁହାରି ଶୁଣୁ ନ ଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ଭିଟାମାଟି ଓ ପରିବାରକୁ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଗୁହାରି ଜଣାଇଥିଲେ ମଧ୍ୟ କାହାରି ଆନ୍ତରିକତା ନଥିବା ଅଭିଯୋଗ କରି ଗ୍ରାମବାସୀଙ୍କ ଅସନ୍ତୋଷ ସୋମବାର ଆନ୍ଦୋଳନର ରୂପ ନେଇଛି। ନିଜ ଭିଟାମାଟି ଓ ପରିବାରକୁ ବଞ୍ଚାଇବା ତଥା ନିଜ ଅଧିକାର ପାଇଁ ଆବଶ୍ୟକ ପଡ଼ିଲେ ଜୀବନକୁ ବାଜି ଲଗାଇ ମଧ୍ୟ ଲଢ଼େଇ ଜାରି ରଖିବେ ବୋଲି ଗ୍ରାମବାସୀ କହିଛନ୍ତି।

ଗୋପାଳପୁର ବନ୍ଦରର ଦୁଇଟି ଫାଟକ ସମ୍ମୁଖରେ ଶହ ଶହ ଗ୍ରାମବାସୀ ଓ ଛାତ୍ରୀଛାତ୍ର ଧାରଣାରେ ବସିଛନ୍ତି। ସେମାନଙ୍କର ପ୍ରମୁଖ ଦାବିଗୁଡ଼ିକ ହେଲା—ସମୁଦ୍ର କୂଳରେ ପଥରବନ୍ଧ ବା ଗାର୍ଡୱାଲ୍‌ ନିର୍ମାଣ, ଗୋପାଳପୁର ବନ୍ଦର ଫିସେରୀ ଜେଟିରେ ଥିବା ପାହାଚଗୁଡ଼ିକର ମରାମତି, ଫିସେରୀ ଜେଟିରେ ପାନୀୟଜଳ ଓ ଆଲୋକୀକରଣ ବ୍ୟବସ୍ଥା, ମେରାଇନ୍ ଥାନାଠାରୁ ଫିସେରୀ ଜେଟିକୁ ସଂଯୋଗ କରୁଥିବା ରାସ୍ତାର ପିଚୁକରଣ ଏବଂ ସ୍ଥାନୀୟ ବେକାର ଯୁବକ-ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ। ଏହି ୫ ଦଫା ଦାବି ନେଇ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ଏନେଇ ପୂର୍ବରୁ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଆନ୍ଦୋଳନକାରୀମାନେ କହିଛନ୍ତି।

ଏହି ଆନ୍ଦୋଳନରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ବେହେରା, ଗଞ୍ଜାମ ଜିଲା ମତ୍ସ୍ୟଜୀବୀ ଫୋରମ୍‌ର ସଭାପତି ଏମ୍. ଗୁମାଲି, ସାଧାରଣ ସମ୍ପାଦକ ବି. ଭୀମସେନ, ଗଞ୍ଜାମ ଜିଲା ସି-ଫୁଡ୍‌ ସଂଘର ସାଧାରଣ ସମ୍ପାଦକ ଏମ୍. ଦିଲ୍ଲୀପ, ଭାଜପା ମଣ୍ଡଳ ସଭାପତି ଏନ୍. ଦୀନବନ୍ଧୁ, ଏ. ଭେଙ୍କଟେଶ, କେ. ଦାଶରଥି, ଇ. ନରସିଂହ, ବି. ସୀମା, ଏମ୍. ଗୋବିନ୍ଦ, ସିଏଚ୍. ଅନନ୍ତ, କୃଷ୍ଣଚନ୍ଦ୍ର କର, ସୁଦାମ ଦାସ, ଭୀମସେନ ଦାସ, ଭାଜପା ଯୁବ ଉପସଭାପତି ପି. ରାମବାବୁଙ୍କ ସମେତ ଶହ ଶହ ଗ୍ରାମବାସୀ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Dharitri – Odisha’s No.1 Odia Daily

Share