ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର ଗାନ୍ଧିଛକସ୍ଥିତ ପେଟ୍ରୋଲ ପମ୍ପରେ ଛାଉଣୀ ନ ଥିବା ଯୋଗୁଁ ଅସହ୍ୟ ତାତିରେ ଲୋକେ ଗାଡିରେ ତେଲ ପକାଇବାକୁ ନେଇ ଅସନ୍ତୋଷ ତେଜି ଉଠିଛି। ବରଗଡ଼ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ଆଜି ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଉକ୍ତ ପେଟ୍ରୋଲ ପମ୍ପକୁ ପହଞ୍ଚି ଦୃଢ଼ ପ୍ରତିବାଦ କରିଥିଲେ। ଛାଉଣୀ କରା ନ ଯିବା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ଦୃଢ ଦାବି କରିଥିଲେ। ଫଳରେ ପେଟ୍ରୋଲ ପମ୍ପ ବନ୍ଦ ରହିବା ସହିତ ଛାଉଣୀ କାର୍ଯ୍ୟକୁ ପେଟ୍ରୋଲ ପମ୍ପ ମାଲିକ ଆରମ୍ଭ କରିଛନ୍ତି। ପ୍ରତିବାଦ ସମୟରେ ବରଗଡ଼ ନାଗରିକ ମଞ୍ଚର ବୀରେନ୍ଦ୍ର ପ୍ରଧାନ, ଶୟନ ପଣ୍ଡା, ଆଇନ ଜୀବୀ ଅନୁପ ଶତପଥି, ସୁରଥ ସାହୁ, ନିଖିଳ ପାଣିଗ୍ରାହୀ, ଭବାନୀ ସାହୁ ଉପସ୍ଥିତ ଥିଲେ। ସୂଚନା ଥାଉକି, ଉକ୍ତ ପେଟ୍ରୋଲ ପମ୍ପରେ ଛାଉଣୀ ବ୍ୟବସ୍ଥା ନଥିବା ନେଇ ଗତ ୧୪ତାରିଖ ଧରିତ୍ରୀ ପୋର୍ଟାଲ ପେଜରେ ଏକ ଖବର ପ୍ରକାଶ ପାଇଥିଲା। ସେହିପରି ଆଜିର ଧରିତ୍ରୀରେ ମଧ୍ୟ ଅଂଶୁଘାତ ଭୟ: ଅସହ୍ୟ ଗୁଳଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ଶୀର୍ଷକ ପ୍ରକାଶିତ ଖବରରେ ବିନା ଛାଉଣୀର ଉକ୍ତ ପେଟ୍ରୋଲ ପମ୍ପରେ ଟାଣଖରାରେ ଲୋକେ ତେଲ ପକାଉଥିବା ନେଇ ଏକ ଫଟୋ ପ୍ରକାଶ ପାଇଛି। ସେହିପରି ଗତ ୧୯ତାରିଖ ମଧ୍ୟ ନାଗରିକ ମଞ୍ଚର ଏକ ପ୍ରତିନିଧି ଦଳ ପେଟ୍ରୋଲ ପମ୍ପକୁ ଯାଇ ଛାଉଣୀ ବ୍ୟବସ୍ଥା ଦାବି କରିଥିଲେ। ଏହାସତ୍ତ୍ବେ ସେ ଦିଗରେ କିଛି ପଦକ୍ଷେପ ନିଆଯାଇ ନଥିବା ଯୋଗୁଁ ଦୃଢ ଦାବି ସହିତ ନାଗରିକ ମଞ୍ଚ ପେଟ୍ରୋଲ ପମ୍ପକୁ ବନ୍ଦ କରି ଦେଇଥିଲା।


