ଭଞ୍ଜନଗର,୨୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମରେ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀକୁ ମନ୍ଦିର ପ୍ରବେଶ ବାରଣ ବିବାଦରେ ପୋଲିସ ଏକ ମାମଲା ରୁଜୁ କରିଛି। ଅନ୍ୟପଟେ ଆମ୍ବେଦକର ସେବକ ସଂଘ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ସୋମବାର ଭେଟି ପୀଡ଼ିତ ପରିବାରଙ୍କୁ ନ୍ୟାୟ ଓ ସୁରକ୍ଷା ଦାବି କରିଛନ୍ତି।
ଅପରପକ୍ଷେ ଆସନ୍ତା ୨୪ ତାରିଖରେ ସମସ୍ୟାର ସମାଧାନ ପାଇଁ ଶାନ୍ତି କମିଟି ବୈଠକ ବସିବ। ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମରେ ଦଳିତ ସମ୍ପ୍ରଦାୟର ଲୋକଙ୍କୁ ମନ୍ଦିର ପ୍ରବେଶରେ ବାଧା, ଜାତିଗତ ନିର୍ଯାତନା, ସାମାଜିକ ବାସନ୍ଦ ଏବଂ ଜୀବନରେ ମାରିଦେବା ଧମକ ଦିଆଯାଇଥିବା ଅଭିଯୋଗକୁ ନେଇ ବିଗତ କିଛି ଦିନ ହେବ ସଂପୃକ୍ତ ଅଞ୍ଚଳରେ ବିବାଦ ଦେଖାଦେଇଛି।
ଏହି ଘଟଣାରେ ତାରସିଂ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୀଡ଼ିତ ପରିବାରଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ ଦାବିରେ ଆମ୍ବେଦକର ସେବକ ସଂଘର ଏକ ପ୍ରତିନିଧି ଦଳ ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆମ୍ବେଦକର ସେବକ ସଂଘର ରାଜ୍ୟ ଅଧ୍ୟକ୍ଷ ମନୋରଞ୍ଜନ ଜେନାଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଦୈତାରୀ ନାୟକ, ଉପଦେଷ୍ଟା ସୁବଳ ନାୟକ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ପୀଡ଼ିତ ପରିବାରଙ୍କ ପକ୍ଷରୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ।
ଅଭିଯୋଗ ଅନୁସାରେ, ଜାଡ଼ଧାର ଗ୍ରାମର ଦଳିତ ପରିବାରମାନଙ୍କୁ ମନ୍ଦିର ପ୍ରବେଶରୁ ବଞ୍ଚିତ କରାଯିବା ସହ ଦୋକାନ, ବଜାର, ସେଲୁନ ଏବଂ ଅନ୍ୟାନ୍ୟ ସାମାଜିକ ସୁବିଧାରୁ ମଧ୍ୟ ବାରଣ କରାଯାଉଛି। ଏପରିକି ରାସ୍ତାରେ ଅବର୍ଜନା ପକାଇ ହଇରାଣ କରାଯାଉଥିବା ନେଇ ମହିଳାମାନେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ପାଇଁ ଭଞ୍ଜନଗର ଏସଡିପିଓ ଡ ଦୀପକ ମିଶ୍ର ଘଟଣାସ୍ଥଳ ପରିଦର୍ଶନ କରି ସାକ୍ଷ୍ୟ ସଂଗ୍ରହ ଓ ବୟାନ ରେକର୍ଡ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଅଭୟ ପ୍ରଧାନ ଓ ତାରସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି।
ଏହାସହ ପୀଡ଼ିତ ଗ୍ରାମବାସୀ ଏବଂ ଆମ୍ବେଦକର ସେବକ ସଂଘର ପ୍ରତିନିଧିମାନେ ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ସାକ୍ଷାତ କରି ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଓ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଦାବି କରିଛନ୍ତି। ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲା ପ୍ରଶାସନ ଆସନ୍ତା ୨୪ ଜୁନରେ ଏକ ଶାନ୍ତି କମିଟି ବୈଠକ ଡାକିଛି। ଏହି ବୈଠକରେ ଉପଜିଲ୍ଲାପାଳ, ତହସିଲଦାର, ପୋଲିସ ଅଧିକାରୀ, ଉଭୟ ପକ୍ଷର ଗ୍ରାମବାସୀ ଓ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଯୋଗଦେବେ ବୋଲି ସୂଚନା ମିଳିଛି।
ଏହି ଅବସରରେ ରାଜ୍ୟ ମହିଳା ସଭାନେତ୍ରୀ ସୁପ୍ରଭା ମଲ୍ଲିକ, ଦୁର୍ଯ୍ୟୋଧନ ନାୟକ, ସୁରେଶ ନାୟକ, ପ୍ରକାଶ ନାୟକ, ସୁରେଶ ଚନ୍ଦ୍ର ନାୟକ, କୁନାଲ ରାବଣ, ଆକାଶ ନାୟକ, ପୀତବାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ପୀଡ଼ିତ ପରିବାରଙ୍କୁ ସୁରକ୍ଷା, ଦୋଷୀଙ୍କ ଗିରଫ ଏବଂ ସାମାଜିକ ବହିଷ୍କାର ବନ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ଦାବି କରିଛନ୍ତି।