ପରୀକୁ ନ୍ୟାୟ ଦେବାରେ ବିଫଳତାର ପ୍ରତିବାଦ: ଭାଜପାର ପଦଯାତ୍ରାକୁ କଂଗ୍ରେସର ଗଡ଼ିବ ପରୀ ନ୍ୟାୟ ରଥ

ନୟାଗଡ ଅଫିସ,୯ ।୧୨: ପରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କର ବିଫଳତାର ପ୍ରତିବାଦରେ ଭାଜପା ଓ କଂଗ୍ରେସ ଆନ୍ଦୋଳନକୁ ତ୍ୱରାନ୍ବିତ କରିଛନ୍ତି। ଭାଜପା ପଦଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିବାବେଳେ କଂଗ୍ରେସ ପରୀ ନ୍ୟାୟ ରଥ ପରିକ୍ରମା କରାଇ ନ୍ୟାୟ ପାଇଁ ଲୋକଙ୍କ ପାଖକୁ ଯିବ । ଡିସେମ୍ବର ୨୧ରେ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ ସଦର ଥାନାର ଯଦୁପୁରକୁ ଭାଜପା ପଦଯାତ୍ରା କରିବବୋଲି ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ହରିଚନ୍ଦନ କହିଛନ୍ତି ଡିସେମ୍ବର ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ୧୪୭ ନିର୍ବାଚନମଣ୍ଡଳୀରେ ଭାଜପା ଅନୁରୂପ ଭାବେ ପଦଯାତ୍ରା କରିବ । ପରୀକୁ ନ୍ୟାୟ ଦେବା ପାଇଁ ଭାଜପାର ପଦଯାତ୍ରା କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ଚାପ ପକାଇବ ବୋଲି ସେ କହିଛନ୍ତି ।

ସେହିପରି ଜିଲା କଂଗ୍ରେସ ସଭାପତି ରଣଜିତ ଦାଶ କୁହନ୍ତି ପରୀକୁ ନ୍ୟାୟ ପାଇଁ କଂଗ୍ରେସ ଲୋକଙ୍କ ପାଖକୁ ଯିବ । ଏଥିପାଇଁ ପରୀ ନ୍ୟାୟ ରଥର ବ୍ୟବସ୍ଥା କରାଯାଇଛି । ୧୩ ଡିସେମ୍ବରରୁ ୧୭ ଡିସେମ୍ବର ପର୍ଯ୍ୟନ୍ତ ପରୀ ନ୍ୟାୟ ରଥ ଜିଲା ପରିକ୍ରମା କରି ୫୦ ହଜାର ଜିଲାବାସୀଙ୍କ ସ୍ବାକ୍ଷର ସଂଗ୍ରହ କରିବ । ପରେ ଏହି ଦସ୍ତଖତକୁ ରାଜ୍ୟପାଳ, ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି । କଂଗ୍ରେସ ନେତା ପ୍ରଦୀପ ମାଝିଙ୍କ ସୂଚନା ଅନୁସାରେ କଂଗ୍ରେସ ମଧ୍ୟ ପଛକୁ ହଟିବ ନାହିଁ । କାରଣ ପରୀକୁ ନ୍ୟାୟ ଦେବା ପାଇଁ କଂଗ୍ରେସ ପ୍ରଥମରୁ ଆନ୍ଦୋଳନ କରି ଆସିଛି । ଆଗକୁ ଆନ୍ଦୋଳନ ତ୍ୱରାନ୍ବିତ ହେବ । ଏଥିପାଇଁ ରାଜ୍ୟ ସ୍ତରରେ ବିଚାରବିମର୍ଷ ଚାଲିଛି । ଖୁବଶୀଘ୍ର ରାଜରାସ୍ତାକୁ ଦଳ ଓହ୍ଲାଇବବୋଲି ସେ କହିଛନ୍ତି ।