ମାତୃଭାଷାର ସୁରକ୍ଷା

ସ୍ବାଧୀନତାର ପରବର୍ତ୍ତୀ ସମୟରେ ଯେତେବେଳେ ଶିକ୍ଷାର ବ୍ୟାପକ ପ୍ରସାର ଘଟି ନ ଥିଲା ଓ ସମାଜରେ ଅଳ୍ପ କେତେଜଣ ପାଠୁଆ ଲୋକଙ୍କୁ ଛାଡ଼ିଦେଲେ ଜନସଂଖ୍ୟାର ଏକ ସିଂହଭାଗ ଅପାଠୁଆ ଥିଲେ ସେହି ସମୟରେ ସରକାରୀ ଦପ୍ତରରେ ଯେଉଁ ଚିଠିପତ୍ର ଲେଖାଯାଉଥିଲା ତାହା କେବଳ ଇଂଲିଶ ଭାଷାରେ ଥିଲା। ଫଳରେ ଅପାଠୁଆ ଲୋକଟି ତା’ପାଖକୁ ଡାକଯୋଗେ ଆସୁଥିବା ଚିଠିଟି ଧରି ପାଠୁଆ ଲୋକର ସନ୍ଧାନରେ ବାହାରୁଥିଲା, ଯିଏ ତାକୁ ଚିଠିର ମର୍ମ ବୁଝାଇ ପାରିବ। କେତେକ କ୍ଷେତ୍ରରେ ଚିଠି ବୁଝିବା ସମ୍ଭବ ହେଲେ ମଧ୍ୟ ବହୁ କ୍ଷେତ୍ରରେ ତାକୁ ନିରାଶ ହେବାକୁ ପଡୁଥିଲା। ସାଧାରଣ ଲୋକର ଏ ଅସୁବିଧାକୁ ହୃଦୟଙ୍ଗମ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ଦ୍ୱିତୀୟତଃ ଇଂରେଜମାନେ ଏ ଦେଶ ଛାଡ଼ି ଚାଲିଗଲା ପରେ ଇଂଲିଶ ଭାଷାର ଗୁରୁତ୍ୱ ହ୍ରାସକରି ମାତୃଭାଷା ଓଡ଼ିଆକୁ ପ୍ରାଧାନ୍ୟଦେବା ଥିଲା ନବକୃଷ୍ଣଙ୍କର ଅଭିଳାଷ। ତାଙ୍କ ଉଦ୍ୟମରେ ପ୍ରଥମକରି ୧୯୫୪ ସେପ୍ଟେମ୍ବର ୮ରେ ଓଡ଼ିଆକୁ ସରକାରୀ ଭାଷାର ମାନ୍ୟତା ଦେବା ପାଇଁ ‘ଭାଷା ସୁରକ୍ଷା ଆଇନ’ ପ୍ରଣୀତ ହେଲା। ଜନସାଧାରଣଙ୍କ ମନରେ ଏକ ଆଶା ଉଜ୍ଜୀବିତ ହେଲା ଯେ ଏଣିକି ସରକାରୀ ଚିଠିପତ୍ର ଓଡ଼ିଆରେ ଆଦାନ ପ୍ରଦାନ ହେବ ଓ ସେଗୁଡ଼ିକୁ ବୁଝିବାରେ କୌଣସି ଅସୁବିଧା ହେବନାହିଁ। କିନ୍ତୁ ଅମଲାତାନ୍ତ୍ରିକ ଅଭିସନ୍ଧି ଓ ରାଜନୈତିକ କୂଟନୀତି ଯୋଗୁ ତାହା ନାଲିଫିତା ତଳେ ଚାପିହୋଇଗଲା।
୮୦ଦଶକରେ କଂଗ୍ରେସ ଶାସନ ସମୟରେ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଉଦ୍ୟମରେ ଓଡ଼ିଆକୁ ସରକାରୀ ଭାଷାର ମାନ୍ୟତା ପ୍ରଦାନ କରାଯିବାର ଆଉ ଏକ ଅଭିଯାନ ଆରମ୍ଭ ହେଲା। ଏପରିକି ଇଂଲିଶ୍‌ ଭାଷାର ବ୍ୟବହାରିକ ଭାଷାନ୍ତର ପାଇଁ ସ୍ବତନ୍ତ୍ର ଶବ୍ଦକୋଷ ପ୍ରସ୍ତୁତିର ଉଦ୍ୟମ କରାଗଲା। କିନ୍ତୁ ଏପରି ଉଦ୍ୟମ କିଛିଦିନ ପରେ ଅକାମୀ ହୋଇଗଲା। ଏପରିକି କେତେଜଣ ପ୍ରଜ୍ଞାଶୀଳ ବ୍ୟକ୍ତି ଆଶଙ୍କା ପ୍ରକଟ କଲେ ଯେ ଇଂଲିଶ ଭାଷାର ସହାୟତା ବିନା ଓଡ଼ିଆ ଭାଷା ପ୍ରଚଳନ ସମ୍ଭବ ନୁହେଁ। ଉଦାହରଣ ସ୍ବରୂପ ଗ୍ଲାସ୍‌, କପ୍‌, ଟେବୁଲ, କମ୍ପ୍ୟୁଟର, ଟିଭି, ବସ୍‌, କାର୍‌, ପେନ୍‌ସିଲ୍‌, ଶାର୍ଟ, ପ୍ୟାଣ୍ଟ, ଇଲେକ୍ଟ୍ରିକ୍‌ ବଲ୍‌ବ- ଏହିପରି ଆହୁରି ଅନେକ ଜିନିଷର ନାମକୁ ଓଡ଼ିଆରେ ପ୍ରକାଶ କରିହେବ ନାହିଁ। ଯଦିବା କରାଯାଏ, ଏହା ଇଂଲିଶ୍‌ ଶବ୍ଦଠାରୁ ଅଧିକ କଠିନ ଓ ଅବୋଧ୍ୟ ହେବ। ତେଣୁ ଏହାର ପ୍ରୟୋଗ ଅତ୍ୟନ୍ତ ଦୁର୍ବୋଧ୍ୟ ଏବଂ ଅସଙ୍ଗତ ହେବ। ଯଦି ସାଇକେଲକୁ ଓଡ଼ିଆ ଭାଷାରେ ଦ୍ୱିଚକ୍ର ଯାନ କୁହାଯାଏ ଏହା କେତେ ଅସଙ୍ଗତ ହେବ ତାହା ସହଜରେ ଅନୁମେୟ। କେତେଜଣ ବୁଦ୍ଧିଜୀବୀ ମତଦେଲେ ଯେ ଇଂଲିଶ ବିନା ଓଡ଼ିଆ ଭାଷା କଥନ, ଲିଖନ ଓ ପଠନ ସମ୍ଭବ ନୁହେଁ। ସେମାନଙ୍କ ମତରେ ବିଶେଷ୍ୟ ପଦଗୁଡ଼ିକ ଇଂଲିଶରେ ଓ ବାକ୍ୟର ଅନ୍ୟ ଅଂଶକୁ ଓଡ଼ିଆରେ କୁହାଯାଇପାରିବ।
ଅତ୍ୟନ୍ତ ସୁଖର କଥା, ୨୦୧୪ ଫେବୃଆରୀ ୨୦ରେ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି। ସର୍ବଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ଏହା ଥିଲା ଏକ ପୁରାତନ ଭାଷା ଓ ସଂସ୍କୃତ ଏହାର ଉତ୍ସ। ଇତିହାସ କହେ, ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ଆର୍ଯ୍ୟ ଓ ଦ୍ରାବିଡ ଭାଷାର ଜନ୍ମ ସମୟ। କେନ୍ଦ୍ର ସରକାର ଉପରୋକ୍ତ ତଥ୍ୟକୁ ଗ୍ରହଣକରି ଏହାକୁ ଶାସ୍ତ୍ରୀୟତାରେ ବିମଣ୍ଡିତ କଲେ। ଆମ ପଡ଼ୋଶୀ ଦେଶ ବାଂଲାଦେଶରେ ବଙ୍ଗଳା ଭାଷା ସରକାରୀ ଭାଷାର ମାନ୍ୟତା ପାଇଛି। ସ୍ବାଧୀନତା ପରେ ପରେ ୧୯୫୨ ଫେବୃଆରୀ ୨୧ ପୂର୍ବ ପାକିସ୍ତାନ(ଅଧୁନା ବାଂଲାଦେଶ)ର ଭାଷା ଆନ୍ଦୋଳନ ଏତେ ପ୍ରଭାବୀ ଥିଲା ଯେ ମିଳିତ ଜାତିସଂଘ ଫେବୃଆରୀ ୨୧କୁ ମାତୃଭାଷା ଦିବସର ମାନ୍ୟତା ଦେଲା। କିନ୍ତୁ ପରିତାପର କଥା ଯେ ଓଡ଼ିଆ ଭାଷା ଏତେ ପୁରାତନ ହୋଇ ମଧ୍ୟ ସରକାରୀ ଭାଷାର ମାନ୍ୟତା ପାଇପାରିନାହିଁ। ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ୨୦୧୬ ଅଗଷ୍ଟ ୧୬ଠାରୁ ଓଡ଼ିଆ ଭାଷାକୁ ପୁନର୍ବାର ସରକାରୀ ଭାଷା ରୂପେ ପ୍ରଚଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରିହେଲା। କିନ୍ତୁ ଏହା ପୂର୍ବପରି ଦିଗହଜା ହେଲା।
ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଯେଉଁସବୁ ଘୋଷଣା କରାଗଲା, ତନ୍ମଧ୍ୟରେ ଓଡ଼ିଆ ଭାଷାର ସରକାରୀକରଣ ଅନ୍ୟତମ। ଜନସାଧାରଣ ଦୃଢ଼ତାର ସହ ଆସ୍ଥା ସ୍ଥାପନକଲେ ଯେ ଏଥର ଓଡ଼ିଆ ନିଶ୍ଚିତ ସରକାରୀ ଭାଷା ରୂପେ ପ୍ରଚଳିତ ହେବ। କିନ୍ତୁ ଆଜିର ସ୍ଥିତି ଯାହା ଏବେ ମଧ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଇଂଲିଶ ଭାଷାର ଆଧିପତ୍ୟ ରହିଛି। କେତେବେଳେ କେମିତି କାଁଭାଁ ହାତ ଗଣତି ଚିଠି ଓଡ଼ିଆରେ ଲେଖାଯାଉଛି ଯାହା ତ୍ରୁଟିଶୂନ୍ୟ ହୋଇପାରୁନାହିଁ। ଓଡ଼ିଆ ଭାଷାର ପ୍ରବୀଣ ବ୍ୟକ୍ତି ବିଶେଷଙ୍କୁ ଏହା ନୈରାଶ୍ୟ ମଧ୍ୟକୁ ଠେଲିଦେଉଛି। ନିକଟରେ ଜଣେ ଉଚ୍ଚ ପଦାଧିକାରୀଙ୍କର ଏକ ଚିଠି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ ସବୁ ଓଡ଼ିଆ ଶବ୍ଦ ସହ ଲେଖାଥିଲା ଦୁଇଟି ଇଂଲିଶ ଶବ୍ଦ ଯଥା ‘ଟ୍ରେଡ୍‌ ଲାଇସେନ୍ସ’ ଓ ‘ସାଇନ୍‌ ବୋର୍ଡ’। ଏ ଦୁଇଟି ଶବ୍ଦ ଅକ୍ଳେଶରେ ଓଡ଼ିଆ ଭାଷାରେ ପ୍ରକାଶ କରାଯାଇପାରିଥାନ୍ତା। ଏହାର ବହୁବିଧ କାରଣ ମଧ୍ୟରୁ ଗୋଟିଏ କାରଣ ହେଲା, ଅଧିକାଂଶ ବିଭାଗୀୟ ମୁଖ୍ୟ ଓଡ଼ିଆ ଭାଷା ଲିଖନ ଓ କଥନରେ ଦୁର୍ବଳ ହୋଇଥିବାରୁ ଓଡ଼ିଆକୁ ସରକାରୀ ଭାଷା ରୂପେ ପ୍ରଚଳନ କରିବାରେ ସେମାନେ ବୀତସ୍ପୃହ। ନିକଟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ‘ପଞ୍ଚସଖା ସେତୁ’ ପକ୍ଷରୁ ଜିଲା ଶିକ୍ଷାଧିକାରୀମାନଙ୍କୁ ଲେଖାଯାଇଥିବା ଚିଠି ଏତେ ତ୍ରୁଟିପୂର୍ଣ୍ଣ ଯେ ଏହାକୁ ପଢ଼ିଲେ ଲଜ୍ଜିତ ହେବାକୁ ପଡୁଛି। ଶିକ୍ଷା ବିଭାଗର ଚିଠି-ତାହା ପୁଣି ତ୍ରୁଟିଯୁକ୍ତ- ଏ କଥା ଭାବିଲା ବେଳକୁ ଓଡ଼ିଆ ଭାଷାର ସ୍ଥିତି ସହଜେ ଅନୁମେୟ। ବିଭାଗୀୟ ଦପ୍ତରରେ ଏତେ ଅଧିକାରୀ ଓ ବାବୁମାନଙ୍କ ଦୃଷ୍ଟିକୁ ଏସବୁ ଆସିପାରୁନାହିଁ କିପରି ?
ଆମ ପିଲାମାନଙ୍କର ଓଡ଼ିଆ ଭାଷା ଜ୍ଞାନ କ୍ରମେ ସଙ୍କୁଚିତ ହେଉଥିବା ଲକ୍ଷ୍ୟକରାଯାଉଛି। ଉଚ୍ଚଶ୍ରେଣୀର ପିଲାମାନେ ଠିକ୍‌ ଭାବେ ଓଡ଼ିଆ ଲେଖିବାରେ ଅସମର୍ଥ। ଇ-ଈ, ଉ-ଊ ଓ ଶ-ଷ-ସ ମଧ୍ୟରେ ଥିବା ପାର୍ଥକ୍ୟ, ଉଚ୍ଚାରଣଗତ ଭିନ୍ନତା ଓ ଠିକ୍‌ ଲିଖନ ପ୍ରକ୍ରିୟାରେ ବ୍ୟାପକ ଅସଙ୍ଗତି ଓଡ଼ିଆ ଭାଷାବିତ୍‌ମାନଙ୍କୁ ବ୍ୟଥିତ କରିଛି। ପିଲାମାନଙ୍କ ପଠନ ଲିଖନ ପ୍ରକ୍ରିୟା ଅତ୍ୟନ୍ତ ନୈରାଶ୍ୟଜନକ। ଶ୍ରୁତଲିଖନ ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ଭାଷାଜ୍ଞାନରେ ସୁଦୃଢ଼ କରିଥାଏ। ହସ୍ତାକ୍ଷର ଖାତା ଲେଖିବାରେ ମଧ୍ୟ ଦୁଇଟି ଉପକାର ମିଳିଥାଏ। ପ୍ରଥମତଃ ବନାନ ଶୁଦ୍ଧି ଓ ଦ୍ୱିତୀୟତଃ ସୁନ୍ଦର ଅକ୍ଷର ଲେଖିବାର ପ୍ରଚେଷ୍ଟା। ଏସବୁ ଉପରେ ବିଦ୍ୟାଳୟ ସ୍ତରରେ ସେପରି ଗୁରୁତ୍ୱ ଦିଆଯାଉନାହିଁ। ଫଳରେ ପିଲାମାନେ ମାତୃଭାଷାରେ ଅତ୍ୟନ୍ତ ଦୁର୍ବଳ। ସେହି ପିଲାମାନେ ଯେତେବେଳେ ଉପର ଶ୍ରେଣୀକୁ ଯିବେ କିମ୍ବା ଶିକ୍ଷା ସମାପ୍ତି ପରେ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ କୌଣସି କାର୍ଯ୍ୟଭାର ଗ୍ରହଣ କରିବେ, ସେମାନେ କିପରି ଆମ ମାତୃଭାଷାର ସୁରକ୍ଷା ବହନ କରିପାରିବେ ? ଓଡ଼ିଆ ଭାଷାର ସାମୂହିକ ଦୁର୍ଗତି ଆମ ପୂର୍ବଜ ଶିକ୍ଷାବିତ୍‌ଙ୍କ ଅନ୍ତରାତ୍ମାକୁ ପୀଡ଼ା ଦେଉଥିବ। ସେମାନେ ସ୍ବର୍ଗରେ ଥାଇ ହୁଏତ ଭାବୁଥିବେ ତାଙ୍କ ଉତ୍ତରପିଢ଼ି କେତେ ଅକୃତଜ୍ଞ। ନିଜ ମାତୃଭାଷାର ସୁରକ୍ଷାରେ ଯେଉଁ ଜାତି ଏତେ ଅପାରଗ ସେ କିପରି ଏ ଜାତିର ଭବିଷ୍ୟତ ସୁରକ୍ଷା ବହନ କରିପାରିବ ? ସେଦିନ ବ୍ୟାସକବିଙ୍କ ଲେଖନୀରୁ ଝରି ଆସିଥିଲା – ଦୁଇପଦ କବିତା।
ଭ୍ରମିଲି ବହୁ ଦେଶ ଦୂର- କାଞ୍ଚତ୍ କାମାକ୍ଷା କାନପୁର।
ପଢ଼ିଲି ନାନା ଦେଶ ଭାଷା-କାହିଁ ତ ନ ପୂରିଲା ଆଶା
ଦେଖିଲି ନାହିଁ ଘୂରି ଘୂରି- ମୋ ମାତୃଭାଷାର ମାଧୁରୀ
ହେଉ ପଛକେ ସେ ନିକୃଷ୍ଟ- ମୋ ମାତୃଭାଷା ମୋତେ ଶ୍ରେଷ୍ଠ।
ମାତୃଭୂମି ଓ ମାତୃଭାଷାକୁ ଶ୍ରେଷ୍ଠତା ପ୍ରଦାନ ପ୍ରତ୍ୟେକ ଜାତି ପକ୍ଷେ ସର୍ବାଦୌ ବାଞ୍ଛନୀୟ।

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ:୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri